ଅନ୍ଧାର ଘର

ଶୈଳେନ୍ଦ୍ର ଦ୍ୱିବେଦୀ

ଗଞ୍ଜାମ ଜିଲାରେ ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମବାସୀମାନେ ଜଣେ ମହିଳାଙ୍କ ସ୍ବାମୀଙ୍କ ସମେତ ଆଉ କେତେ ଜଣକୁ ଅଟକ ରଖିଥିବାରୁ ମହିଳା ଜଣକ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଫଳରେ ଗ୍ରାମବାସୀମାନେ ସେହି ୫୦ ବର୍ଷ ବୟସ୍କା ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ, ଯାହା ତାଙ୍କର ମୃତ୍ୟୁର କାରଣ ହେଲା। ଏକ ରିପୋର୍ଟ ଅନୁସାରେ ୨୦୧୪ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ପାଖାପାଖି ୪୦୦ ଲୋକଙ୍କୁ ଡାହାଣୀ/ଗୁଣିଗାରେଡ଼ି ସନ୍ଦେହରେ ନିର୍ମମ ହତ୍ୟା କରାଯାଇଛି। କେବଳ ଓଡ଼ିଶା ନୁହେଁ, ଭାରତର ନିର୍ଦ୍ଦିଷ୍ଟ କେତେକ ରାଜ୍ୟରେ କୁସଂସ୍କାର ଆପଣା ମୂଳଦୁଆ ମଜଭୁତ କରି ରଖିଛି। ଆମ ରାଜ୍ୟରେ ଏମିତି ନୃଶଂସ ଘଟଣାର ପୁନରାବୃତ୍ତି ବହୁବର୍ଷ ଧରି ହେଉଛି। ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଏବଂ ଆକ୍ସନ ଏଡ୍‌ର ମିଳିତ ଉଦ୍ୟମରେ ଡିସେମ୍ବର ୨୦୨୧ରେ ପ୍ରକାଶିତ ଏକ ରିପୋର୍ଟ (Witch Hunting in Odisha) ଦର୍ଶାଇଛି ନିରକ୍ଷରତା, ସଚେତନତାର ଅଭାବ ଏବଂ ଲିଙ୍ଗଗତ ବୈଷମ୍ୟ। ଓଡ଼ିଶା ସମେତ ଭାରତର କିଛି ରାଜ୍ୟରେ ଏମିତି ଅମାନୁଷିକ ବ୍ୟବହାର ଅବ୍ୟାହତ ରହିଛି। ଆମ ରାଜ୍ୟରେ Odisha Prevention of Witch Hunting Act ୨୦୧୩ ରୁ କାର୍ଯ୍ୟକାରୀ ହୋଇଥିବା ସ୍ଥଳେ ସ୍ଥିତିରେ ଲକ୍ଷଣୀୟ ସୁଧାର ନାହିଁ। ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, କନ୍ଧମାଳ, ନୟାଗଡ଼ ଓ ଗଜପତି ଜିଲା ଉପରେ ପର୍ଯ୍ୟବସିତ ଏହି ରିପୋର୍ଟ ଉଲ୍ଲେଖ କରିଛି ଯେ ୨୦୦୦ରୁ ୨୦୧୬ ଭିତରେ ଭାରତରେ ୨୫୦୦ରୁ ସମାନ୍ୟ ଅଧିକ ସ୍ତ୍ରୀ ଓ ପୁରୁଷଙ୍କୁ ଗୁଣିଗାରେଡି, ତନ୍ତ୍ରପୂଜା/ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଛି। ହାରାହାରି ମୃତ୍ୟୁସଂଖ୍ୟା ବର୍ଷକୁ ୧୫୦ I ସମସ୍ୟା ଗମ୍ଭୀର କେବଳ ମୃତ୍ୟୁସଂଖ୍ୟାକୁ ନେଇ ନୁହେଁ ବରଂ କୁସଂସ୍କାରମାନଙ୍କର I ସମାନ ଅବସ୍ଥା ଆସାମ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ମେଘାଳୟ ପରି ରାଜ୍ୟର। ଘରେ ବିବାଦ ଲାଗିରହୁ, ହଠାତ୍‌ କାହାର ଦେହ ଖରାପ ହେଉ, ଗାଁ ଗହଳିରେ ପ୍ରଥମେ ସନ୍ଦେହ କରାଯାଏ ଯେ କେହି ଗୁଣିଗାରେଡ଼ି କରୁଛି/ ତନ୍ତ୍ରମନ୍ତ୍ର କରୁଛି। ଏମିତି ସନ୍ଦେହ ମୂଳରେ ତଥ୍ୟ ପ୍ରମାଣ ନ ଥାଏ। ସର୍ଭେରୁ ଜଣାପଡ଼ିଛି, ଆମ ରାଜ୍ୟରେ ଏମିତି ସର୍ବାଧିକ ଘଟଣା ଘଟୁଛି ମୟୂରଭଞ୍ଜ, ଗଞ୍ଜାମ, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, କେନ୍ଦୁଝର ଓ ଗଜପତିରେ (ମୋଟ ମାମଲାର ୮୩ଭାଗ)। ଅଧ୍ୟୟନରୁ ଜଣାପଡ଼ିଛି ଯେ ଡାହାଣୀ ସନ୍ଦେହରେ ହତ୍ୟାର ଅନ୍ୟାନ୍ୟ କାରଣ ମଧ୍ୟରେ ରହିଛି ପରିବାରରେ ଶିଶୁମାନଙ୍କ ଅସୁସ୍ଥତା, ମୃତ୍ୟୁ, ଜମିବାଡ଼ି ବିବାଦ, ମାନସିକ ସ୍ବାସ୍ଥ୍ୟହାନି ଏବଂ ଫସଲ ନଷ୍ଟ ହେବା। ଏକଥା ମଧ୍ୟ ଜଣାପଡ଼ିଛି ଯେ ୩୦ ପ୍ରତିଶତ ମାମଲା ଥାନା ଦୁଆରକୁ ଯାଏ ନାହିଁ, ଅର୍ଥାତ୍‌ ଲଜ୍ଜା, ଲୋକନିନ୍ଦା ଏବଂ ଅପମାନ ଯୋଗୁ ପୀଡ଼ିତ ପରିବାର ଗାଁ ଛାଡ଼ି ଚାଲିଯିବାକୁ ବାଧ୍ୟ ହୁଅନ୍ତି। ପଞ୍ଚାୟତ, ବରିଷ୍ଠ ନାଗରିକ ଏବଂ ମୋଟ ଉପରେ ନାଗରିକ ସମାଜରୁ ଯେଉଁ ହସ୍ତକ୍ଷେପ ଆଶା କରିଥାନ୍ତି ତାହା ମିଳେନାହିଁ। ଭୟଙ୍କର ସାମାଜିକ-ଅର୍ଥନୈତିକ ବୈଷମ୍ୟ, ନିରକ୍ଷରତା ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ଅଭାବ ଏବଂ ଲିଙ୍ଗଗତ ବିଭେଦ ସମସ୍ୟାକୁ ଜଟିଳ କରିଛି। ଅଧିକାଂଶ ସମୟରେ ଏହାର ଶିକାର ହେଉଛନ୍ତି ସୀମାନ୍ତରିତ ଓ ଦଳିତ।
ଆମ ରାଜ୍ୟରେ ୨୦୧୩ରେ ଓ୍ବିଚ୍‌ ହଣ୍ଟିଂ ଆଇନ ଆସିବା ପରେ ୨୦୧୫, ୨୦୧୬ ଏବଂ ୨୦୧୭ରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ଯଥାକ୍ରମେ ୫୮,୮୩ ଏବଂ ୯୯। ଭାରତର କିଛି ଅଞ୍ଚଳରେ ସକ୍ରିୟ ରହିଥିବା ଏହି ଜଘନ୍ୟ କୁସଂସ୍କାରକୁ ତୁଳନା କରାଯାଇଛି ଦକ୍ଷିଣ ଆଫ୍ରିକାର ଅନଗ୍ରସର ଇଲାକାମାନଙ୍କ ସହିତ। ୨୦୧୬ରେ ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ ଡାହାଣୀ ସନ୍ଦେହରେ ୧୩୪ ଜଣଙ୍କୁ ହତ୍ୟା କରାଯାଇଥିଲା I ଗବେଷକମାନଙ୍କ ମତ ହେଉଛି, ଅସଲ ମାମଲା ଓ ମୃତ୍ୟୁ ସଂଖ୍ୟା ୟା’ଠାରୁ ଯଥେଷ୍ଟ ଅଧିକ। ସେମାନେ ଏକଥା ମଧ୍ୟ କହନ୍ତି, ବିଭିନ୍ନ ରାଜ୍ୟରେ ଓ୍ବିଚ୍‌ ହଣ୍ଟିଂକୁ ନେଇ ରହିଥିବା ଆଇନରେ ଖସିଯିବା ପାଇଁ ଗଳାବାଟ ରହିଛି। ମହିଳାମାନଙ୍କୁ ଡାହାଣୀ ଆଖ୍ୟା ଦିଆଯିବା, ଗାଁ ଦାଣ୍ଡରେ ଉଲଗ୍ନ କରିବା ଏବଂ ସେମାନଙ୍କୁ ଜିଅନ୍ତା ଜାଳିଦେବା ଭଳି ଘଟଣା ଏବେ ମଧ୍ୟ ଆମ ଦେଶରେ ଘଟୁଛି, ଯାହାକୁ ଜାତୀୟ ଲଜ୍ଜା ଛଡ଼ା ଆଉ କିଛି କହିହେବ ନାହିଁ। ଏକାଧିକ ସ୍ବାଧୀନ ଅଧ୍ୟୟନ ସୂଚାଇଛନ୍ତି, ଆକ୍ରମଣରେ ଶିକାର ହୋଇଥିବା ଅନେକ ପୀଡ଼ିତାଙ୍କ ବୟସ ୪୦ରୁ ୬୦ ଭିତରେ ଏବଂ ଅଧିକାଂଶ ଅର୍ଥନୈତିକ ସ୍ଥିତିରେ ଖୁବ୍‌ ଦୁର୍ବଳ। ଜଣାପଡ଼ିଛି, ଅଧିକାଂଶ ସମୟରେ ଗ୍ରାମବାସୀ ଏକଜୁଟ ହୋଇ ଆକ୍ରମଣ କରିଥାନ୍ତି। ସେଥିପାଇଁ ଅଦାଲତରେ ଯେତେବେଳେ ମାମଲା ରୁଜୁ ହୁଏ ଅନେକ କ୍ଷେତ୍ରରେ ପ୍ରମାଣ ଅଭାବରୁ ଅପରାଧୀ ଖସିଯାଆନ୍ତି। ଦୁର୍ଭାଗ୍ୟ ସେତିକି ନୁହେଁ, ଝାଡ଼ଖଣ୍ଡ, ବିହାର,ଛତିଶଗଡ଼ ପରି ରାଜ୍ୟରେ ଉଚ୍ଚ ଅଦାଲତରେ ଅପିଲ ମଧ୍ୟ ଖୁବ୍‌ କମ୍‌ ରୁଜୁ ହୁଏ। ନିକଟରେ ଜାତୀୟ ମାନବାଧିକାର କମିଶନଙ୍କଠାରେ ଦାଏର ହୋଇଥିବା ଏକ ମାମଲାରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ଏହାର ଅନୁପାଳନ ହେଉ। ସରକାର ନିୟମିତ ବ୍ୟବଧାନରେ ସମୀକ୍ଷା କରନ୍ତୁ।
ଏକ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ୨୦୨୧ରେ କରାଯାଇଥିବା ସ୍ବାଧୀନ ଅଧ୍ୟୟନ ଇଙ୍ଗିତ କରିଛି ଯେ କେନ୍ଦୁଝର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟ ସେବା ଦୁର୍ବଳ ହୋଇଥିବାରୁ ସୀମାନ୍ତରିତମାନେ ଗୁଣି ଗାରେଡ଼ି/ ତନ୍ତ୍ର ସାଧନାର ଆଶ୍ରୟ ନେଉଛନ୍ତି, ଯାହା ପ୍ରକାରାନ୍ତରେ କୁସଂସ୍କାରକୁ ପ୍ରୋତ୍ସାହନ ଦେଉଛି। ୨୦୧୭ରେ ଡାହାଣୀ ସନ୍ଦେହରେ ଓଡ଼ିଶାରେ ୯୯ ମାମଲା ରୁଜୁ ହୋଇଥିବା ବେଳେ ୧୮ ଜଣଙ୍କ ମୃତ୍ୟୁ ଘଟିଛି I ୨୦୧୮ରେ ୭୩ଟି ମାମଲାରେ ୧୯ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି। ସେତିକି ନୁହେଁ, ଡାହାଣୀ ସନ୍ଦେହରେ ମହିଳାଙ୍କ ମୁଣ୍ଡ କାଟି ଦିଆଯାଇଛି, ପଥରରେ ବାଡ଼େଇ ଦାନ୍ତ ଭାଙ୍ଗି ଦିଆଯାଇଛି ଏବଂ ଅତ୍ୟନ୍ତ ନୃଶଂସ ଭାବରେ ଜିଭ ବି କାଟି ଦିଆଯାଉଛି। ୨୦୨୧ରେ ଆମ ରାଜ୍ୟରେ ଡାହାଣୀ/ଗୁଣି ଗାରେଡ଼ି ସନ୍ଦେହରେ ମାସିକ ମୃତ୍ୟୁ ସଂଖ୍ୟା ହାରାହାରି ୪ I
ତଥ୍ୟ ଅନୁସାରେ ଓ୍ବିଚ୍‌ ହଣ୍ଟିଂ ଆଇନରେ ଏ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ୬୧ଟି ଏତଲା ରୁଜୁ ହୋଇଛି, ଯେଉଁଥିରୁ ୪୦ଟି ମାମଲା ଗମ୍ଭୀର। ମୟୂରଭଞ୍ଜରେ ସର୍ବାଧିକ ମାମଲା ୨୫, ତା’ ତଳକୁ କେନ୍ଦୁଝର ୧୧। ଏହା ମଧ୍ୟ ସ୍ମରଣ କରେଇ ଦିଏ ଯେ ଦେଶର ସବୁଠୁ ସମୃଦ୍ଧ ଏବଂ ସଭ୍ୟ ରାଜ୍ୟ କେରଳରେ ମଧ୍ୟ ଡାହାଣୀ ସନ୍ଦେହରେ ବର୍ବରୋଚିତ ଘଟଣା ଘଟୁଛି। କେତେ ହଜାର ବର୍ଷ ତଳୁ ଯାହା ଆମ ଆଦିମ ସଭ୍ୟତାର ଅଂଶ ଥିଲା, ତାହା ଆଜି ବି ଅପରିବର୍ତ୍ତିତ ରହିଛି I ଆମେ ଏକ ପ୍ରକାର ଅନ୍ଧାର ଘରେ ରହିଛୁ। ଅର୍ଥାତ୍‌ ଚେତନାର ଖଣ୍ଡଗ୍ରାସ ଅବ୍ୟାହତ ରହିଛି।
ମୋ-୯୪୩୭୧୩୭୦୬୦ sailendradwivedi@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri