ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିବା ବେଳେ ଏହାକୁ ନେଇ ଜିଲାରେ ତୀବ୍ର ଅସନ୍ତୋଷ ଦେଖାଯାଇଛ। ଶନିବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ଏକାଧିକ ଲୋକଙ୍କ ଘର ଆଜବେଷ୍ଟସ୍ ଉଡ଼ାଇଥିବାବେଳେ ବଡ଼ବଡ଼ ଗଛ ଉପୁଡ଼ି ପଡିଛି।
ସେହିପରି ଗଞ୍ଜାମ ଜିଲା ଭଂଜନଗର ବ୍ଲକ କଣ୍ଟେଇପଲିରୁ କନ୍ଧମାଳ ଜିଲାକୁ ସଂଯୋଗ ହୋଇଥିବା ୧୩୨ କେଭି ବିଦ୍ୟୁତ୍ ଅଚଳ ଯୋଗୁ ଗତ ୨୪ ଘଣ୍ଟା ହେଲା ବିଦ୍ୟୁତ୍ ସେବା ଅଚଳ ହୋଇପଡ଼ିଛି। ଜିଲାର ଦାରିଙ୍ଗବାଡ଼ିର ୩୩ /୧୧ କେଭି ବିଦ୍ୟୁତ ଅଚଳ ଯୋଗୁ ଦୁର୍ଗମ ପଞ୍ଚାୟତ ସମେତ ଦାରିଙ୍ଗବାଡ଼ି, ସିମନବାଡ଼ି, ତିଲୋରୀ, କିରିକୁଟି, ବୁଡ଼ାଗୁଡ଼ା, ଗୁମିକିଆ, ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ, କୋଟଗଡ଼ ବ୍ଲକ ପକାରୀ, ଦାସିଙ୍ଗବାଡ଼ି, ପର୍ତ୍ତମାହା, ଗ୍ରୀନବାଡ଼ି, ସିଆଙ୍ଗବାଲି, ଭ୍ରମରବାଡ଼ି, ସୋନପୁର, ଦନେକବାଡ଼ି, ଶ୍ରାନିକେତା ଆଦି ପଞ୍ଚାୟତ ଅଞ୍ଚଳ ଶନିବାର ସନ୍ଧ୍ୟଠାରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଖବର ଲେଖାହେବା ସୁଦ୍ଧା ବିଦ୍ୟୁତ ସେବା ସ୍ବାଭାବିକ ହୋଇ ନ ଥିବା ଜଣାପଡ଼ିଛି। ବିଦ୍ୟୁତ ନ ଥିବାରୁ ସିମନବାଡ଼ ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା ଆଦି ଅଞ୍ଚଳରେ ବିଏସ୍ଏନ୍ଏଲ୍ ସେବା ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।