ବିପଦସଙ୍କୁଳ କଂକ୍ରିଟ ପୋଲ

ଧାମନଗର,୧୮।୭(ସ୍ବ.ପ୍ର.) – ଭଦ୍ରକ ଜିଲା ଧାମନଗର ବ୍ଲକର ଭଗବାନପୁର ପଞ୍ଚାୟତ ପଳିକିରି ଗ୍ରାମ ଦେଇ ବହି ଯାଇଥିବା ‘ଯ’ ନଦୀ ଉପରେ ଥିବା କଂକ୍ରିଟ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଲୋକେ ଏହା ଉପରେ ଯାତାୟାତ କରୁଥିବା ବେଳେ କେତେବେଳେ ଯେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ପୋଲର ମରାମତି କରାଯାଉ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ପଳିକିରି ଛକଠାରୁ ଚନ୍ଦନେଶ୍ୱର ଗ୍ରାମ ପର୍ଯ୍ୟନ୍ତ ୩ କି.ମି.ରୁ ଊର୍ଦ୍ଧ୍ୱ ରାସ୍ତାର ପଳିକିରି ଚିଅଁା ବଜାର ନିକଟବର୍ତ୍ତୀ ଏହି ନଦୀ ଉପରେ ପୋଲ ନିର୍ମାଣ କରାଯାଇଥିଲା। ଉକ୍ତ ରାସ୍ତା ଭଣ୍ଡାରିପୋଖରୀ ବ୍ଲକ ଏବଂ ଧାମନଗର ମୁଖ୍ୟ ବଜାରକୁ ସଂଯୋଗ କରୁଥିବାରୁ ଦୈନିକ ଶତାଧିକ ଭାରିଯାନ ଯାତାୟାତ କରୁଛି। ପୋଲ ନିର୍ମାଣକୁ ୨୫ବର୍ଷରୁ ଊର୍ଦ୍ଧ୍ୱ ବିତିଗଲାଣି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ରକ୍ଷଣାବେକ୍ଷଣ ଅଭାବରୁ ୬ମାସ ହେଲା ପୋଲରେ ଫାଟ ସୃଷ୍ଟି ହୋଇଥିବା ବେଳେ ନିକଟରେ ଲଗାଣ ବର୍ଷାରେ ଚତୁପାର୍ଶ୍ୱରେ ହୋଇଥିବା ଗାର୍ଡୱାଲ ସମ୍ପୂର୍ଣ୍ଣ ଧସିଯାଇଛି। ପୋଲର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ କଂକ୍ରିଟ ଖୁଣ୍ଟ ମଧ୍ୟ ନଷ୍ଟ ହେବାକୁ ବସିଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଗ୍ରାମବାସୀ ଓ ସରପଞ୍ଚଙ୍କ ପ୍ରତିନିଧି କପିଳେନ୍ଦ୍ର ବଳ ଦାବି କରିଛନ୍ତି।