ଲୋକସେବା ଭବନରେ ପ୍ରଦର୍ଶିତ ହେଲା ‘ଦମନ’

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ରବିବାର ଲୋକସେବା ଭବନର କନଭେନଶନ ସେଣ୍ଟରଠାରେ ପ୍ରଦର୍ଶିତ ହୋଇଛି। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସହଯୋଗରେ ଏହାର ପ୍ରଦର୍ଶନ କରାଯାଇଥିଲା। ମାଲେରିଆ ନିରାକରଣ ଉପରେ ନିର୍ମିତ ଏହି ଫିଲ୍ମ କଷ୍ଟକର ସ୍ଥିତିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ଅଧିକାରୀଙ୍କ ପାଇଁ ପ୍ରେରଣା ଯୋଗାଇବ। ଦୁର୍ଗମ ଅଞ୍ଚଳର ଏକ ବାସ୍ତବ ଘଟଣାକୁ ଚଳଚ୍ଚିତ୍ର ମାଧ୍ୟମରେ ସାମ୍ନାକୁ ଆଣିବାର ପ୍ରୟାସ ସ୍ବାଗତଯୋଗ୍ୟ। ଏହାକୁ ପ୍ରତି ଜିଲାରେ ପ୍ରଦର୍ଶିତ କରିବା ପାଇଁ ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।
ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, ଏଭଳି ବାସ୍ତବଧର୍ମୀ ଚଳଚ୍ଚିତ୍ର ପ୍ରଚାର ପ୍ରାସର କରିବାର ଆବଶ୍ୟକତା ରହିଛି। ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ପୁନଃ ପ୍ରଦର୍ଶିତ କରାଯିବ ବୋଲି ସେ କହିଛନ୍ତି। ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ କହିଛନ୍ତି, ୮୬ବର୍ଷର ଓଡ଼ିଆ ସିନେମାର ଇତିହାସରେ ଏଭଳି ସିନେମା ନିର୍ମାଣ ଏକ ଅଭିନେବ ପଦକ୍ଷେପ। ଆଗାମୀ ଦିନରେ ଏହା ସମସ୍ତ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାରଙ୍କୁ ଉତ୍ସାହିତ କରିବ। ଏହି ଅବସରରେ ଚଳଚ୍ଚିତ୍ର ଅଭିନେତା ବାବୁଶାନ୍‌ ମହାନ୍ତି, ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ, ଦେବୀପ୍ରସାଦ ଲେଙ୍କା ଓ ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମୁଖ୍ୟ ଶାସନ ସଚିବ ସମ୍ବର୍ଦ୍ଧିତ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଚଳଚ୍ଚିତ୍ର ଦେଖିଥିଲେ।