ମରାମତି ତାଲିକାରେ ସ୍ଥାନପାଇନି ବିପର୍ଯ୍ୟସ୍ତ ରାସ୍ତା

ନାଉଗାଁ,୨୦ା୧୨(ସ୍ବ.ପ୍ର): ଗତ ସେପ୍ଟମ୍ବରରେ ହୋଇଥିବା ପ୍ରବଳ ବର୍ଷାରେ ନାଉଗାଁ ବ୍ଳକର ଅନେକ ରାସ୍ତା ଧୋଇ ଯାଇଥିଲା। ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାକୁ ପୁନଃ ମରାମତି କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହାକୁ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ତାହାର ତାଲିକା ଏବେ ଜିଲାପାଳଙ୍କ ପୋର୍ଟାଲରେ ପ୍ରକାଶ ପାଇଛି । ଏହି ତଥ୍ୟ ଅନୁସାରେ ବର୍ଷାରେ ବ୍ଳକର ୧୬ ପଞ୍ଚାୟତରେ ୬୯ଟି ରାସ୍ତା ଧୋଇ ହୋଇଯାଇଥିଲା। ଏଗୁଡ଼ିକର ମରାମତି ପାଇଁ ୧ କୋଟି ୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି।
ତେବେ ପ୍ରକୃତ ରାସ୍ତାର ଲମ୍ବ କେଉଁଠି ୪୦ ଫୁଟ, ଆଉ କେଉଁଠି ୬୦ ଫୁଟ ହୋଇଥିବା ବେଳେ ପୋର୍ଟାଲରେ ଏହାକୁ ଏକ କିଲୋମିଟର ଦର୍ଶାଇ ଅଧିକ ବିଲ୍‌ କରିବାକୁ ମସୁଧା କରାଯାଇଛି। ସେନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ପଞ୍ଚାୟତରେ ବର୍ଷାରେ ଅଧିକ ରାସ୍ତା ବିପର୍ଯ୍ୟସ୍ତ ହୋଇଥିବା ବେଳେ ତାଲିକାରେ ସେଗୁଡ଼ିକୁ ଦେଖିବାକୁ ମିଳୁନି। ଅପରପକ୍ଷେ ସାମାନ୍ୟ ଖାଲଖମା ଥିବା ରାସ୍ତାକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିବା ଅଭିଯୋଗ ହୋଇଛି। କୋରୁଅ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବାଲିଗାଁ ବାରିକ ସାହି ରାସ୍ତା, ତିରୁଣା ପଞ୍ଚାୟତର ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ବେହୁରା ସାହି ପଯ୍ୟନ୍ତ ରାସ୍ତା ବର୍ଷାରେ ଶୋଚନୀୟ ହୋଇଯାଇଥିଲେ ମଧ୍ୟ ତାଲିକାରେ ସ୍ଥାନ ପାଇନାହିଁ। ଗତ ଅମ୍ଫନ ବାତ୍ୟାରେ ବ୍ଳକରେ ଏହିପରି ଅନେକ ରାସ୍ତା ବିପଯ୍ୟସ୍ତ ହୋଇଥିଲେ ମଧ୍ୟ ଚଞ୍ଚକତା କରାଯାଇ ଏହାକୁ ବାଦ୍‌ ଦିଆଯାଇ ବ୍ୟକ୍ତିଗତ ସ୍ଥାନରେ ରାସ୍ତା ନିର୍ମାଣ କରାଯାଇଥିଲା। ଏନେଇ ସେତେବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁନର୍ବାର ବ୍ଲକ ପ୍ରଶାସନ ପକ୍ଷରୁ ମନମୁଖି ଭାବେ ତାଲିକା ପ୍ରସ୍ତୁତ କରାଯାଇଥିବା ନେଇ ସୁବାସ ସ୍ବାଇଁ, ଅଶୋକ ସ୍ବାଇଁ ଓ ନିରଞ୍ଜନ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ମଲ୍ଲିକ କୁହନ୍ତି, ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ରାସ୍ତା ତଦାରଖ କରି ତାଲିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା। ଯଦି ଆବଶ୍ୟକଠାରୁ ଦୂରତ୍ୱ କମ୍‌ ଥିବ ତାହାକୁ ମାପ କରାଯାଇ ବିଲ୍‌ କରାଯିବ ବୋଲି କହିଥିଲେ।