ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ ଓ ଚାଷଜମିକୁ ମାଡ଼ିଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମପଞ୍ଚାୟତର ସାଲେପଦର ଗାଁର କିଆ ନାଳ ଉପରେ ନିର୍ମିତ ବନ୍ଧ ହିଡ଼ରେ ଦେଖିବାକୁ ମିଳିଛି।
ମିଳିଥିବା ସୂଚନାନୁସାରେ, ସାଲେପଦର କିଆ ନାଳ ବନ୍ଧର ମାଟି କାମ ୨୦୨୫-୨୬ ଆର୍ଥିକ ବର୍ଷରେ ପଞ୍ଚମ ଏସ୍ଏଫ୍ସି ପାଣ୍ଠିରୁ ୧ ଲକ୍ଷ ୭୫ ହଜାର ୫୯୨ ଟଙ୍କା ବ୍ୟୟରେ କରାଯାଇଥିଲା। ତେବେ କାମ ଶେଷ ହେବାର କିଛି ଦିନ ମଧ୍ୟରେ ବର୍ଷାଜଳରେ ବନ୍ଧ ହିଡ଼ ଧୋଇଯାଇଛି। ଫଳରେ ପୋଖରୀର ପାଣି ଗାଁ ଓ ନିକଟସ୍ଥ ଚାଷଜମିକୁ ମାଡ଼ିଯାଇ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମାଟି କାମ ସମୟରେ ଗୁଣାତ୍ମକ ମାଟି ବ୍ୟବହାର କରାନଯାଇ ରାସ୍ତାକଡ଼ରେ ପଡ଼ିଥିବା ପ୍ଲାଷ୍ଟିକ ମିଶ୍ରିତ ମାଟି ବ୍ୟବହାର କରାଯାଇଥିଲା। ଫଳରେ ହିଡ଼ଟି ସାମାନ୍ୟ ବର୍ଷାଜଳକୁ ମଧ୍ୟ ସହିପାରି ନ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ତେବେ ଏହି ଅଭିଯୋଗର ସତ୍ୟତା ବିଭାଗୀୟ ତଦନ୍ତ ପରେ ସ୍ପଷ୍ଟ ହେବ।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଦେବରତ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍ ଅଫ୍ ଥିବାରୁ ପ୍ରତିକ୍ରିୟା ମିଳିପାରି ନ ଥିଲା।
ସରକାରୀ ଅର୍ଥରେ ହୋଇଥିବା ଏହି କାମର ଗୁଣାତ୍ମକ ମାନ ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏଥିସହ ନଷ୍ଟ ହୋଇଥିବା ବନ୍ଧ ହିଡ଼ର ତୁରନ୍ତ ମରାମତି କରିବାକୁ ମଧ୍ୟ ଦାବି ହୋଇଛି।