ଗଜପତିଙ୍କୁ ଜଣାଇଲେ ଦଇତାପତି

ପୁରୀ ଅଫିସ,୨୬।୬:  ଆଷାଢ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ଶନିବାର ଅବସରରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଜ୍ୱରରେ ପଡ଼ିଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଏହି ଖବର ଶ୍ରୀନଅରରେ ଆଦ୍ୟ ସେବକ ଗଜପତି ମହାରାଜଙ୍କୁ ସୂଚନା ଦେବା ସହିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ପ୍ରଦାନ କରିଛନ୍ତି। ଯାହାକୁ ରାଜ ପ୍ରାସାଦ ବିଜେ ନୀତି ବୋଲି କୁହାଯାଇଥାଏ। ସୂଚନାଯୋଗ୍ୟ, ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନବେଦୀରେ ଶ୍ରୀବିଗ୍ରହମାନେ ୧୦୮ଗରା ସୁବାସିତ ଼ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ଅଣସରରେ ଚିକିତ୍ସିତ ହେବା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ଓ ପତିମହାପାତ୍ର ଗୁପ୍ତ ସେବା କରୁଥିଲେ। ପର୍ଯ୍ୟାୟକ୍ରମେ ଅଣସରର ପଞ୍ଚମୀ ତିଥିରେ ବଡ଼ଓଡ଼ିଆ ମଠରୁ ଆସିଥିବା ଫୁଲୁରି ତେଲ ମହାପ୍ରଭୁ ଶ୍ରୀଅଙ୍ଗରେ ଲାଗିହେବା ପରେ ଶୁଦ୍ଧସୁଆର ସେବକମାନେ ଦେଇଥିବା ଓଷ ତିନିଦିନ ଧରି ଲାଗି ହୋଇଥିଲେ। ପରେ ଦଶମ ତିଥିରେ ଶ୍ରୀବିଗ୍ରହଙ୍କ ଚକାବିଜେ ନୀତି ସମ୍ପନ୍ନ ହେବା ସହ ଦଶମୂଳ ମୋଦକ ଶ୍ରୀମନ୍ଦିରରେ ପହଞ୍ଚତ୍ଥିଲା। ତେବେ ଶୁକ୍ରବାର ଏକାଦଶୀ ତିଥିରେ ଅଣସର ଗୃହରେ ବିରାଜିତ ଶ୍ରୀବିଗ୍ରହଙ୍କୁ ଖଳି ଲାଗି କରାଯିବା ସହ ତୁଳସୀ ଲାଗି କରାଯାଇଥିଲା। ଏଥିସହ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ମଧ୍ୟ ଲାଗି ହେବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।
ଶନିବାର ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ଦଇତାପତି ଅଣସର ଘର ଖୋଲି ଭିତରକୁ ପ୍ରବେଶ କରିଥିଲେ। ଭଣ୍ଡାର ମେକାପ ଦେଇଥିବା ପାଟବସ୍ତ୍ର ପଡିଥିବା ରୂପାଥାଳ ଅଣସର ଘରକୁ ନେଇ ଠାକୁରଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ, ପାଟଡୋରି ସଜେଇ କରି ରଖିଥିଲେ। ବେହେରଣ ଦ୍ୱାରରେ ଆସ୍ଥାନ ପଢିଆରୀ ପକାଇଥିବା ପାହାଡା ବା କପଡ଼ା ଉପରେ ଏହି ଥାଳିକୁ ସଜାଇଥିଲେ। ପରେ ଘଣ୍ଟ, ଛତା, କାହାଳି ସହ ଥାଳିଗୁଡ଼ିକୁ ଦଇତାପତି ଓ ପତିମହାପାତ୍ର ଗଜପତି ମହାରାଜଙ୍କ ଉଦ୍ଦେଶ୍ୟରେ ଶ୍ରୀନଅରକୁ ଏକ ପଟୁଆରରେ ଯାଇଥିଲେ। ଶ୍ରୀନଅର ରାଜବାଟୀରେ ପଡିଥିବା ଚାରିବାଡ଼ର ପାହାଡ଼ା ଉପରେ ଥାଳିମାନ ରଖିଥିଲେ। ରାଜଗୁରୁଙ୍କ ସହିତ ଗଜପତି ମହାରାଜା ଆସିଥିଲେ। ଏହାପରେ ଥାଳିଗୁଡ଼ିକୁ ସଂସ୍କାର କରି ରାଜଗୁରୁ ଗଜପତି ମହାରାଜାଙ୍କ ମୁଣ୍ଡରେ ଲଗାଇଥିଲେ। ଗଜପତି ମହାରାଜା ଦଇତାପତିମାନଙ୍କୁ ଶାଢି ବନ୍ଧେଇବା ଲାଗି ରାଜଗୁରୁଙ୍କୁ ଆଜ୍ଞା ଦେଇଥିଲେ। ଦଇତାପତିମାନେ ଶାଢି ବନ୍ଧାଇବା ପରେ ଦାରୁ ବିଗ୍ରହ ସୁସ୍ଥ ହେବା ଖବର ଜଣାଇଥିଲେ। ରଥଯାତ୍ରା କିପରି ଶୃଙ୍ଖଳାର ହେବ ସେ ବିଷୟରେ ମଧ୍ୟ ଗଜପତି ଦଇତାପତିଙ୍କ ସହ ଆଲୋଚନା କରିଥିଲେ। ପରେ ଦଇତାପତି ସେବକ ମାନେ ଶ୍ରୀନଅରରୁ ପ୍ରସ୍ଥାନ କରିଥିଲେ।