ଦୈନିକ ସଂକ୍ରମଣ ୪ ହଜାର ତଳେ, ସକ୍ରିୟ ମାମଲା ୪୩ ହଜାରରୁ କମ…

ନୂଆଦିଲ୍ଲୀ, ୨୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୩ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୪ ହଜାର ତଳେ ରହିଛି। ଏହା କମି ୩,୨୦୮ ରହିଛି। ଗୋଟିଏ ଦିନ ତଳେ ଏହା ୪,୧୧୬ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦ ରହିଛି। ଗୋଟିଏ ଦିନ ତଳେ ଏହା ୧୦ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୪୨ ହଜାର ୩୫୮ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪୩ ହଜାର ୪୧୫ ଥିଲା। ସେହିପରି ୨୪ ଘଣ୍ଟାରେ ୪ ହଜାର ୨୫୫ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୪ ହଜାର ୬୮୮ ଥିଲା। କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୧୨ ଶହ ଉପରେ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।
ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୫୬୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୭୫ ହଜାର ୪୭୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୦ ଲକ୍ଷ ୪ ହଜାର ୫୫୩ ଜଣ ସୁସ୍ଥ ହୋଇ ସାରିଛନ୍ତି।

Share