ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମ ପଶ୍ଚିମ ସାହି ର କେଦାର ଜେନା ଙ୍କ ସାନ ପୁଅ ସାଗର ଜେନା(୨୨) ବ୍ରହ୍ମପୁର ଷ୍ଟେସନ ରେ ଟ୍ରେନ ରୁ ଖସି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ବ୍ରହ୍ମପୁର ରେଲୱେ ପୋଲିସ ମୃତଦେହ ଜବତ କରି ରବିବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ବ୍ୟବଚ୍ଛେଦ କରାଇବା ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅପରାହ୍ନ ରେ ମୃତଦେହ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଶନିବାର ଅପରାହ୍ନରେ ଅବିବାହିତ ସାଗର ଦାଦନ ଶ୍ରମିକ ଭାବେ ତାମିଲନାଡୁ ଯାଉଥିଲେ। ସେ ଭୁଲ ବଶତଃ ଅନ୍ୟ ଏକ ଟ୍ରେନ କୁ ଚଢ଼ି ଯାଇଥିଲେ।ପରେ ନିଜ ଭୁଲ ଜାଣିପାରି ଟ୍ରେନ ରୁ ଓଲ୍ଲିବା ବେଳେ ଗୋଡ଼ ଖସିଯିବାରୁ ଟ୍ରେନ ଲାଇନ ରେ ଖସି ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବ୍ରହ୍ମପୁର ଜିଆରପି ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ପରେ ଦିଗପହଣ୍ଡି ଥାନା ଓ ତାଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ।ପରିବାର ଓ ସମ୍ପର୍କୀୟ ଲୋକେ ପହଞ୍ଚିବା ବେଳେ ସନ୍ଧ୍ୟା ହୋଇଯିବାରୁ ମୃତଦେହ ବ୍ୟବଚ୍ଛଦ ହୋଇପାରିନଥିଲା। ରବିବାର ସକାଳେ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା।