ଦାଦର ଜଙ୍ଗଲରେ ନିଆଁ: ଲିଭାଇବାକୁ ଆସି ଫେରିଗଲେ ବନ କର୍ମଚାରୀ

ଅମରପାଲି, ୪।୩: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ମୁର୍ଷୁଣ୍ଢୀର ଦାଦର ଜଙ୍ଗଲରେ ଲାଗିଛି ନିଆଁ। ନିଆଁ ଲାଗି ଜଙ୍ଗଲର ଗଛ ଲତା ଜଳି ଯାଉଥିବା ବେଳେ ଜୀବଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି। ରାସ୍ତା କଡକୁ ଲାଗି ରହିଥିବା ଉକ୍ତ ଜଙ୍ଗଲରେ ନିଆଁ ଲାଗିଥିବାରୁ ଯାତାୟତ କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଗୁରୁବାର ସକାଳୁ ଉକ୍ତ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ମଧ୍ୟାହ୍ନ ବେଳକୁ ଅଧିକ ବ୍ୟାପିଥିଲା। ଜଙ୍ଗଲରେ ନିଆଁ ଲାଗିଥିବା ନେଇ ବହଳପଦର ସମିତି ସଭ୍ୟ ପୀତାମ୍ବର ସାହୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ବୀରମହାରାଜପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ନିଆଁ ନ ଲିଭାଇ ଫେରି ଯାଇଥିଲେ। ଏବେ ଉକ୍ତ ଜଙ୍ଗଲର ଚାରିପଟେ ନିଅଁା ଲାଗି ବ୍ୟାପକ ଗଛଲତା ଜଳି ଯାଉଥିବା ଦେଖିବାକୁ ମିଳିଛି । ପ୍ରାୟ ୩୦ରୁ ୪୦ଏକର ପରିମିତ ବିଶିଷ୍ଟ ଜଙ୍ଗଲ ଜଳି ଯିବାକୁ ବସିଲାଣି । ଲୋକେ ଚାଷ ଜମିରେ ନିଆଁ ଲଗାଇଥିବାରୁ ଏହା ବ୍ୟାପୀ ଜଙ୍ଗଲରେ ଲାଗିଥିବା ଅନୁମାନ କରାଯାଉଛି। ଏବେ କେନ୍ଦୁପତ୍ର ପାଇଁ ଗୋଛା କଟା ହେଉଛି। କେନ୍ଦୁପତ୍ର ପାଇଁ ଗୋଛାକଟା ବଦଳରେ ମଧ୍ୟ ନିଆଁ ଲଗେଇ ଦିଆଯାଉଥିବା ଅଭିଯୋଗ ହେଉଛି। ତେଣୁ ବନ ବିଭାଗ ଯଥାଶୀଘ୍ର ଜଙ୍ଗଲରେ ବ୍ୟାପୁଥିବା ନିଆଁକୁ ଆୟତ୍ତ କରିବାକୁ ସାଧାରଣରେ ଦାବି ହେଉଛି।