ଦାଦନ ଶ୍ରମିକଙ୍କ କାଟିଥିଲେ ହାତ: ଏବେ ୧୦ ବର୍ଷ କାରାଦଣ୍ଡ

ଭବାନୀପାଟଣା,୧୯।୭(ସ୍ବ.ପ୍ର.): ୨୦୧୩ରେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ୨ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ସହିତ ହାତ କଟାଯାଇଥିଲା। ଏହି ଘଟଣାର ଶେଷ ଅଭିଯୁକ୍ତ ପରଶୁରାମ ନାଏକଙ୍କୁ ସୋମବାର ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ ବନ୍ଦନା କର।

ସୂଚନାଯୋଗ୍ୟ, ୨୦୧୩ରେ କଳାହାଣ୍ଡି ଜିଲାର ୧୨ଜଣ ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦ ଚାଲାଣ କରାଯାଉଥିଲା। ଏଥିରେ ଜୟପାଟଣା ବ୍ଲକ ନୂଆଗୁଡା ଗ୍ରାମର ନିଳାମ୍ବର ଧଙ୍ଗଡାମାଝି ଓ ପିପଲଗୁଡା ଗ୍ରାମର ଦିଆଲୁ ନିଆଲ କୌଣସି କାରଣରୁ ବିରୋଧ କରିଥିଲେ। ଫଳରେ କେତେଜଣ ଦାଦନ ସେଠାରୁ ଚାଲି ଆସିବାରେ ସକ୍ଷମ ହୋଇଥିଲେ। ଏହାର ଆକ୍ରଶ ରଖି ଦାଦନ ସର୍ଦ୍ଦାର ଓ ତାଙ୍କର କେତେକ ସହଯୋଗୀ ନିଳାମ୍ବର ଓ ଦିଆଲୁଙ୍କୁ ଗୋଟିଏ ଘରେ ବନ୍ଦ ରଖି ନିର୍ଯାତନା ଦେଇଥିଲେ। ପରେ ଡିସେମ୍ବର ୧୩ରେ କଳାହାଣ୍ଡି-ବଲାଙ୍ଗୀର ଜିଲା ସୀମାନ୍ତ ଏକ ଶାଗୁଆନ ଜଙ୍ଗଲରେ ୨ ଶ୍ରମିକଙ୍କ ହାତକାଟି ଫେରାର ହୋଇଥିଲେ। ସେତେବେଳେ ଏହି ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇଥିଲା। ଏ ନେଇ ପୋଲିସରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ୨୦୧୬ରେ ଏଡିଜେ ୮ ଅଭିଯୁକ୍ତ ବିମଳ ରାଉତ, ମଣ୍ଟୁ ନିଆଲ, ଜୟସେନ ଠେଲା, ଅର୍ଜୁନ ଭୋଇ, ବନ ମାଝି, ବୈକୁଣ୍ଠ ରାଉତ, ଗଙ୍ଗାଧର ଦାସ, ପରମେ ଦୁଣ୍ଡିଙ୍କୁ ଆଜୀବନ କାରାଦଣ୍ଡଦେଶ ଶୁଣାଇଥିଲେ। ଅନ୍ୟ ଅଭିଯୁକ୍ତ ପରଶୁରାମ ନାଏକ ଫେରାର ଥିଲେ। ଶେଷରେ ପରଶୁରାମଙ୍କୁ ଗିରଫ କରି ଜେଲ ପଠାଇଥିଲା ପୋଲିସ। ସୋମବାର ସମସ୍ତ ସାକ୍ଷୀ ଓ ପ୍ରମାଣଙ୍କୁ ଭିତ୍ତିକରି ପରଶୁରାମଙ୍କୁ ଧର୍ମଗଡ ଏଡିଜେ ୩୭୦ ଦଫାରେ ୧୦ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଜରିମାନା ଓ ୪୨୦/୩୪ରେ ଦଫାରେ ୩ ବର୍ଷ ଓ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି।