ନୂଆପଡ଼ା,୧୯ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା ଖଡିଆଳ ଥାନା ତୁକଲା ଗଁାର ଧ୍ରୁବ ଚରଣ ଶବର(୬୫) ଅପହରଣର ମାସେ ପରେ ଆନ୍ଧ୍ରରୁ ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଅପହୃତାଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ଅପହରଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ତୁକଲା ଗଁାର ଧ୍ରୁବଙ୍କୁ ୨ ଜଣ ଦାଦନ ସର୍ଦ୍ଦାର ଅପହରଣ କରି ନେଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ମଧ୍ୟ ସନ୍ଧାନ ପାଇ ନ ଥିଲେ। ପରେ ଧ୍ରୁବଙ୍କ ପୁଅ ଘନଶ୍ୟାମ ଏ ନେଇ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ମାସେ ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଖଡିଆଳ ପୋଲିସ ଗତ ୧୬ ତାରିଖରେ ଆନ୍ଧ୍ରପ୍ରଦେଶର ବେନୁକୁଣ୍ଠା ଗଁାରୁ ତାଙ୍କୁ ଉଦ୍ଧାର କରି ୧୭ରେ ଖଡିଆଳ ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ା ଧ୍ରୁବଙ୍କ କହିବା କଥା ୨ ଦାଦନ ସର୍ଦ୍ଦାର ଜୋରଜବରଦସ୍ତ ଅପହରଣ କରି ନେଇ ଆନ୍ଧ୍ର ବେନୁକୁଣ୍ଠା ଇଟାଭାଟିରେ ଇଟା ତିଆରି କାର୍ଯ୍ୟରେ ନିୟୋଜିତ କରିଥିଲେ। କଠିନ କାମ କରିପାରିବି ନାହିଁ ବୋଲି ମନା କରିବାରୁ ସେମାନେ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ତାଙ୍କ ବାମ ଗୋଡ ଆଣ୍ଠୁ ତଳ ହାଡ ଫାଟି ଯାଇଥିବା ବେଳେ ପାଦରେ ଗଭୀର ଆଘାତ ଲାଗିଛି। ଛାତିରେ ରକ୍ତ ଜମାଟ ବାନ୍ଧିଥିବା ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସରେ ପରେ ଜଣାପଡିଛି। ଗୋଡର ଘା ଶୁଖିଲା ପରେ ଅପରେଶନ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ବୋଲି ଘନଶ୍ୟାମ କହିଛନ୍ତି। ଧ୍ରୁବ ଠିକ୍ ଭାବରେ ଠିଆ ହୋଇପାରୁ ନ ଥିବାବେଳେ ତରଳ ଖାଦ୍ୟ ଖାଉଛନ୍ତି। ପୋଲିସ ଅପହରଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ଶ୍ରମିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଅପହରଣକାରୀ ଦାଦନ ସର୍ଦ୍ଦାରମାନଙ୍କୁ ଗିରଫ ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ପ୍ରଦାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ନ ହେଲେ ଜିଲା ଶ୍ରମିକ ମହାସଂଘ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ, ଖଡିଆଳ ଥାନା ଘେରାଉ କରିବ ବୋଲି ଚେତାବନୀ ଦେଇଛି ା