ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର: ଏତିକି ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ବଢ଼ିଯିବ ଦରମା

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଓ ପେନନସନଭୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତିର ଖବର ଆସିଛି। ଜୁଲାଇ ୨୦୨୬ରୁ ସେମାନଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି ପାଇବାର ରାସ୍ତା ପ୍ରାୟ ସ୍ପଷ୍ଟ ହୋଇଯାଇଛି।

ଲେବର ବ୍ୟୁରୋ ଜୁନ ୨୦୨୬ର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI-IW) ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ଏଥର ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ପ୍ରାୟ ନିଶ୍ଚିତ ହୋଇଯାଇଛି। ଅର୍ଥାତ୍‌ ବର୍ତ୍ତମାନ DA ୬୦ ପ୍ରତିଶତରୁ ବଢ଼ି ୬୩ ପ୍ରତିଶତ ହୋଇଯିବ।

ଆସନ୍ତୁ ଜାଣିବା, ଏହି ବୃଦ୍ଧି କେବେଠାରୁ ଲାଗୁ ହେବ ଏବଂ ବିଭିନ୍ନ ପେ-ଲେଭେଲ (ମୂଳ ବେତନ) ଅନୁଯାୟୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କୁ ପ୍ରତି ମାସରେ କେତେ ଅଧିକ ଟଙ୍କା ମିଳିବ।

ଜୁଲାଇ ୨୦୨୬ର ଏହି DA ବୃଦ୍ଧିକୁ ସପ୍ତମ ବେତନ ଆୟୋଗ ଅଧୀନରେ ଶେଷ ଏବଂ ସବୁଠାରୁ ବଡ଼ ବୃଦ୍ଧି ବୋଲି ଧରାଯାଉଛି। ଯଦିଓ ସରକାର ଅଷ୍ଟମ ବେତନ ଆୟୋଗ ଗଠନକୁ ଅନୁମୋଦନ କରିସାରିଛନ୍ତି, ତଥାପି ଏହାର ସୁପାରିସ ଲାଗୁ ହେବାକୁ ଆହୁରି କିଛି ସମୟ ଲାଗିବ। ସେପର୍ଯ୍ୟନ୍ତ କର୍ମଚାରୀମାନେ ସପ୍ତମ ବେତନ ଆୟୋଗ ଆଧାରରେ ମହଙ୍ଗା ଭତ୍ତା (DA)ର ଲାଭ ପାଇବେ।

ସରକାର ପ୍ରତିବର୍ଷ ଦୁଇଥର (୧ ଜାନୁଆରୀ ଓ ୧ ଜୁଲାଇ) ମହଙ୍ଗା ଭତ୍ତାରେ ସଂଶୋଧନ କରନ୍ତି। ଏହାର ହିସାବ ଗତ ୧୨ ମାସର CPI-IW (ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ) ତଥ୍ୟ ଆଧାରରେ କରାଯାଏ।

ଜୁନ ୨୦୨୬ର CPI-IW ସୂଚକାଙ୍କ ୧୫୧.୯କୁ ବୃଦ୍ଧି ପାଇଛି, ଯାହା ମେ’ ମାସରେ ୧୫୦.୮ ଥିଲା। ଏହି ହିସାବ ଅନୁସାରେ ମୋଟ DA ପ୍ରାୟ ୬୩.୭୫ ପ୍ରତିଶତ ହେଉଛି। କିନ୍ତୁ ସରକାର ଦଶମିକ (Decimal) ସଂଖ୍ୟାକୁ ଗଣନାରେ ଧରନ୍ତି ନାହିଁ। ସେଥିପାଇଁ ପ୍ରଦାନଯୋଗ୍ୟ DA ହାର ୬୩ ପ୍ରତିଶତ ବୋଲି ଧରାଯିବ।

Odisha’s No.1 Odia Daily