IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକ୍କିମ, ଛତିଶଗଡ଼, ଓଡ଼ିଶା ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ବର୍ଷାର ୟେଲୋ ଆଲର୍ଟ (Yellow Alert) ଜାରି କରାଯାଇଛି। ଏଥିସହ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ତୁଫାନୀ ପବନ ବହିବାର ସମ୍ଭାବନା ରହିଛି।

IMD ଅନୁଯାୟୀ, ସାଟେଲାଇଟ୍ ଚିତ୍ରରୁ ଜଣାପଡିଛି ଯେ ବଙ୍ଗୋପସାଗରରୁ ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ପ୍ରାୟ ୧୫୦୦ କିଲୋମିଟର ଲମ୍ବା ଏକ ମୌସୁମୀ ଟ୍ରଫ୍ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଉତ୍ତର ଭାରତ ସମେତ ଦେଶର ଅଧାରୁ ଅଧିକ ଅଞ୍ଚଳରେ ୩ ଦିନ ଅର୍ଥାତ୍ ଆଜିଠାରୁ ୪ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଏହି ଟ୍ରଫ୍ ହିମାଳୟର ପାଦଦେଶରେ ରହିଛି, ଯାହା ଧୀରେ ଧୀରେ ଦକ୍ଷିଣ ଆଡ଼କୁ ଗତି କରିବ। ମୌସୁମୀ ଟ୍ରଫ୍ ହେଉଛି ଏକ ଲଘୁଚାପ କ୍ଷେତ୍ର, ଯାହାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ମେରୁଦଣ୍ଡ କୁହାଯାଏ। ଏହି ଟ୍ରଫ୍ ଆରବ ସାଗର ଏବଂ ବଙ୍ଗୋପସାଗରରୁ ଜଳୀୟବାଷ୍ପ ପୂର୍ଣ୍ଣ ପବନ ଆଣିଥାଏ, ଯାହାଦ୍ୱାରା ଦେଶରେ ବର୍ଷା ହୋଇଥାଏ।

IMD ଅନୁଯାୟୀ, ଦେଶର ରାଜଧାନୀ ଦିଲ୍ଲୀରେ ମୌସୁମୀ ପହଞ୍ଚି ସାରିଛି। ଦିଲ୍ଲୀ-ଏନସିଆରରେ (NCR) ଆଜି ସକାଳେ ପ୍ରବଳ ପବନ ସହିତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି, ଯାହାଦ୍ୱାରା ଲୋକଙ୍କୁ ଗ୍ରୀଷ୍ମ ପ୍ରବାହରୁ ବଡ଼ ଆଶ୍ୱସ୍ତି ମିଳିଛି। ଏବେ ମୌସୁମୀ ଦିଲ୍ଲୀରେ ସମ୍ପୂର୍ଣ୍ଣ ସକ୍ରିୟ ହେବ, ଯାହା ଫଳରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏଥର ଗତ ୫ ବର୍ଷ ତୁଳନାରେ ଦିଲ୍ଲୀରେ ମୌସୁମୀ ବିଳମ୍ବରେ ପ୍ରବେଶ କରିଛି, କିନ୍ତୁ ପ୍ରବେଶ କରିବା ମାତ୍ରେ ହିଁ ବର୍ଷା ଆରମ୍ଭ ହୋଇଯାଇଛି ଏବଂ ବର୍ତ୍ତମାନ ୬ ଜୁଲାଇ ପର୍ଯ୍ୟନ୍ତ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମେଘୁଆ ପାଗ ରହିବା ସହ  ପବନ ଏବଂ ବର୍ଷା ହୋଇପାରେ।

IMD ଅନୁଯାୟୀ, ଗୁରୁବାର ସକାଳେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି। ମୁମ୍ବାଇ, ଥାନେ, ଏବଂ ନଭି ମୁମ୍ବାଇରେ ଆଜି ଦିନତମାମ୍ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ (Red Alert) ରହିବ।  ଦିନ ୧:୪୫ ମିନିଟରେ ସମୁଦ୍ରରେ ୧୪ ଫୁଟରୁ ଅଧିକ ଉଚ୍ଚର ଢେଉ ଉଠିପାରେ। ଏଭଳି ପରିସ୍ଥିତିରେ ଦିନ ୧ଟା ଆଖପାଖରେ ପ୍ରବଳ ବର୍ଷା ହେଲେ ମୁମ୍ବାଇ ବାସିନ୍ଦାଙ୍କ ସମସ୍ୟା ବଢ଼ିପାରେ।

ଆଗାମୀ ୨ ଦିନ କିପରି ରହିବ ପାଣିପାଗ?

 ଛତିଶଗଡ଼, ତେଲେଙ୍ଗାନା, ଓଡ଼ିଶା, କେରଳ, ଗୋଆ, ତାମିଲନାଡୁ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଏବଂ ସିକ୍କିମରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିହାର, ମଧ୍ୟପ୍ରଦେଶ, ଓଡ଼ିଶା, ପୂର୍ବ ରାଜସ୍ଥାନ ଏବଂ ତାମିଲନାଡୁ ସମେତ ଅନେକ ରାଜ୍ୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ପବନ ବହିପାରେ।

ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି। ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଏବଂ ସିକ୍କିମର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ।

ସିକ୍କିମ, ଗୋଆ, ତେଲେଙ୍ଗାନା ଏବଂ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ (Orange Alert) ଜାରି କରାଯାଇଛି।

Share