ଉପକୂଳମୁହାଁ ‘ୟାସ’: ପାରାଦୀପଠାରୁ ଏବେ ୨୦୦ କିମି ଦୂରରେ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଧିରେ ଧିରେ ଉପକୂଳମୁହାଁ ବାତ୍ୟା ‘ୟାସ’। ଏବେ ଏହା ୧୫ କିମି ବେଗରେ ଗତି କରୁଛି। ପାରାଦୀପଠାରୁ ୨୦୦ କିମି ଦୂରରେ ବାତ୍ୟା ରହିଥିବା ବେଳେ ବାଲେଶ୍ୱର-ଦୀଘାରୁ ୨୯୦ କିମି ଦୂରରେ ରହିଛି। ତେବେ ବାତ୍ୟା ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ୨୬ ତାରିଖରେ ଭଦ୍ରକ ଓ ବାଲେଶ୍ୱରରେ ଅଧିକ ପ୍ରଭାବ ପଡ଼ିବ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ‘ୟାସ୍‌’ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ଏବଂ ଏସ୍‌ଆର୍‌ସି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହାପରେ ପ୍ରତିକ୍ରିୟା ରଖି ପ୍ରତିଟି ମାନବ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା କ୍ଷୟକ୍ଷତି ନିମନ୍ତେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିୟମିତ ଭାବେ ସ୍ଥିତି ଉପରେ ନଜର ରଖାଯାଇଛି। ଜିରୋ କାଜୁଆଲିଟି ଆମ ସରକାରଙ୍କ ଲକ୍ଷ୍ୟ। ହେଲେ ଏଥିପାଇଁ ଜନସାଧାରଣଙ୍କ ସହଯୋଗ ନିମନ୍ତେ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।