ଗୋଚର, ଶ୍ମଶାନ ଓ ଜଙ୍ଗଲ ଜମିରେ ଖର୍ଚ୍ଚ ହେଉଛି ‘ୟାସ୍‌’ ଅର୍ଥ

ଖଇରା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତରେ ୟାସ୍‌ ବାତ୍ୟାରେ ଆସିଥିବା ଅର୍ଥ ବେନିୟମ ଭାବେ ଖର୍ଚ୍ଚ ହେଉଥିବା ନେଇ ବିଭିନ୍ନ ଗ୍ରାମର ବାସିନ୍ଦା ଅଭିଯୋଗ କରିଛନ୍ତି ା ଏଭଳିକି ହାଇକୋର୍ଟଙ୍କ ରାୟ ପରେ ମଧ୍ୟ ଜିଲାପାଳଙ୍କ ନିଷ୍ପତ୍ତିରେ ବିଳମ୍ବକୁ ଆଳ କରି କାର୍ଯ୍ୟଗ୍ରାହୀ ଓ ଯନ୍ତ୍ରୀମାନେ ତରବରିଆ ଭାବେ ବିଲ୍‌ ଉଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ତୁରନ୍ତ ଜିଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଗଡପୋଖରୀ ପଞ୍ଚାୟତବାସୀ ଦାବି କରିଛନ୍ତି।
୨୦୨୧ ମେ’ ଶେଷ ସପ୍ତାହରେ ୟାସ୍‌ ବାତ୍ୟା ଓ ବନ୍ୟା ପ୍ରଭାବରେ ଖଇରା ବ୍ଲକରେ ବ୍ୟାପକ କ୍ଷତି ହୋଇଥିଲା। ଲୋକପ୍ରତିନିଧିଙ୍କୁ ଉପେକ୍ଷା କରି ତରବରିଆ ଭାବେ ବିଭିନ୍ନ ପଞ୍ଚାୟତରେ ନଷ୍ଟ ହୋଇଥିବା ରାସ୍ତାଘାଟ, ବିଦ୍ୟାଳୟ ତାଲିକା ସରକାରୀ କର୍ମଚାରୀଙ୍କ ଜରିଆରେ ପ୍ରସ୍ତୁତ କରାଯାଇଥିଲା। ହେଲେ ଗଡପୋଖରୀ ପଞ୍ଚାୟତରେ ଦିଆଯାଇଥିବା ରାସ୍ତା କାମ ଆରମ୍ଭ ହେବା ପରେ ଏହାକୁ ବିରୋଧ କରି ସ୍ଥାନୀୟ ସରପଞ୍ଚ ଟିକିରାଣୀ ସେଠୀ, ପୂର୍ବତନ ସମିତିସଭ୍ୟା ସଞ୍ଜୁଶ୍ରୀ ବାରିକ, କାହ୍ନୁ ପରିଡା ଓ ବିଜୟ କୁମାର ବାରିକ ପ୍ରମୁଖ ଏପ୍ରିଲ ୧୯ତାରିଖରେ ଖଇରା ବିଡିଓ ଓ ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ନିର୍ମାଣ ହେଉଥିବା ରାସ୍ତା ମଧ୍ୟରୁ ଅଧିକାଂଶ ଗୋଚର, ଶ୍ମଶାନ, ଜଙ୍ଗଲ ଓ ବ୍ୟକ୍ତିଗତ ଜମି ଉପରେ ଅତିକ୍ରମ କରୁଥିବା ନେଇ ଅଭିଯୋଗ କରିଥିଲେ। ନିୟମ ଅନୁଯାୟୀ ନଷ୍ଟ ହୋଇଥିବା ପଞ୍ଚାୟତ ଓ ପଞ୍ଚାୟତ ସମିତି ରାସ୍ତା ଅର୍ଥ ଆସିବାର ୪୫ଦିନ ମଧ୍ୟରେ ହେବା କଥା ା ସମସ୍ତ ନିୟମର ଉଲ୍ଲଂଘନ କରାଯାଇ ଏହି ରାସ୍ତା ନିର୍ମାଣ କରାଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ହେଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଥିବା ଅଭିଯୋଗ ଆଣି ଏହି ବ୍ୟକ୍ତିମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଉକ୍ତ ମାମଲା(ଡବ୍ଲ୍ୟୁପି(ସି)(ପିଆଇଏଲ)ନଂ. ୧୧୯୦୯/୨୦୨୨ର ବିଚାର କରି ଅଗଷ୍ଟ ୧ତାରିଖ ପୂର୍ବରୁ ସମସ୍ତଙ୍କୁ ସୁହାଇବା ଭଳି ଆଦେଶ ପାରିତ କରିବାକୁ ମେ’ ୨୫ତାରିଖରେ ବାଲେଶ୍ୱର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରିବାକୁ ଉଲ୍ଲେଖ କରାଯାଇଥିଲା। ହେଲେ ଜିଲାପାଳଙ୍କ ଆଦେଶ ପୂର୍ବରୁ ଠିକାଦାରମାନେ ଯନ୍ତ୍ରୀଙ୍କ ସହାୟତାରେ ଏବେ ରାସ୍ତାକାମ ଶେଷ କରି ବିଲ୍‌ ଉଠାଇବା ପାଇଁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି ା ରାସ୍ତା କାମ ଆରମ୍ଭରେ କୌଣସି ଫଳକ ଲଗାଯାଇ ନ ଥିବାରୁ ସର୍ବସାଧାରଣ ଆବଶ୍ୟକ ସୂଚନାରୁ ବଞ୍ଚିତ ହେଉଛନ୍ତି ା ଏ ସମ୍ପର୍କରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଯୋଗାଯୋଗ କରାଯିବାରେ ସେ ଖଇରା ବିଡିଓଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ା