ଭୁବନେଶ୍ୱର, ୧୮।୧୧: ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଅକ୍ୱାନ’। ବୁଧବାର ସକାଳ ୫ଟା ୩୦ ମିନିଟରେ ପର୍ଯ୍ୟବେକ୍ଷଣ ଅନୁଯାୟୀ, ଏହା ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢ଼ୁଛି ବାତ୍ୟା। ମିଳିଥିବା ସୂଚନା ଅନୁସାରେ, ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି। ଉତ୍ତର ଆନ୍ଧ୍ର ଓ ୟେନମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳକୁ ଆସିବ।
ଅକ୍ୱାନ ବର୍ତ୍ତମାନ ବିଶାଖାପାଟଣାଠାରୁ ୬୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ଗୋପାଳପୁରଠାରୁ ଏହାର ଦୂରତା ୭୩୦ କିଲୋମିଟର ରହିଛି। ପରେ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୦ ତାରିଖ ଶୁକ୍ରବାର ଦ୍ୱିପ୍ରହର ବେଳକୁ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଏବଂ ଟୁନି ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ସର୍ବାଧିକ ବେଗ ୧୪୫ କିମି ରହିବ।
ଅକ୍ୱାନ ପ୍ରଭାବରେ ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାପୂର୍ବରୁ ଅର୍ଥାତ୍ ୧୮ ତାରିଖ ସନ୍ଧ୍ୟା ପରେ ଓଡ଼ିଶାରେ ପବନର ବେଗ ବଢିବ। ୨୦ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସର୍ବାଧିକ ପବନର ବେଗ ୭୦ କି.ମି. ରହିବା ନେଇ ଆକଳନ କରାଯାଇଛି। ସେହିପରି ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ।