ପୁରୁଷୋତ୍ତମପୁର,୧୮ା୧୧(ସବିତା ମିଶ୍ର): ସାମୁଦ୍ରିକ ଝଡ଼ ‘ଅକ୍ୱାନ’କୁ ନେଇ ଆଶଙ୍କା ଦେଖାଦେଇଛି। ପୂର୍ବ ବନ୍ୟାର ଭୟ ମନରୁ ଲିଭି ନ ଥିବାବେଳେ ଆଉ ଏକ ସମ୍ଭାବ୍ୟ ବିପଦକୁ ନେଇ ସଜାଗ ହୋଇଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଜଳସମ୍ପଦ ବିଭାଗ। ଜିଲାରେ ରହିଥିବା ବିଭିନ୍ନ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଥିବାରୁ ନଦୀ ଓ କେନାଲରେ ଜଳପ୍ରବାହ ବୃଦ୍ଧି ଆଶଙ୍କାରେ ଜଳସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଡାକବାଜି ଯନ୍ତ୍ର ମାଧ୍ୟମରେ ନଦୀକୂଳିଆ ଓ କେନାଲ ସଂଲଗ୍ନ ଗ୍ରାମଗୁଡ଼ିକରେ ଲୋକଙ୍କୁ ସଚେତନ କରାଯାଉଛି। ନଦୀ ଓ କେନାଲରେ ପାଣି ପ୍ରବାହିତ ହେଉଥିବାରୁ କେହି ପାଣି ମଧ୍ୟକୁ ନ ଯିବା ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ପାଣିକୁ ନ ଛାଡ଼ିବାକୁ ନିବେଦନ କରାଯାଇଛି।
ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସାଗର କୁମାର ଦାଶଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଗାଁକୁ ଗାଁ ବୁଲି ଲୋକଙ୍କୁ ସତର୍କ କରୁଛନ୍ତି। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଏବଂ ଜନଜୀବନର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଏହି ତତ୍ପରତା ଜାରି ରହିଛି।