ଭଞ୍ଜନଗର, ୨୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଟଳିଯାଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଆକାଶ ମେଘମୁକ୍ତ ହେବା ସହ କୌଣସି ଅଞ୍ଚଳରେ ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ। ତେବେ ସୋରଡ଼ା ଅଞ୍ଚଳରେ ଏକ ବିଦ୍ୟାଳୟର ପାଚେରି ଭାଙ୍ଗିବା ସହ ଭାଲିଗୁଡ଼ା ରାସ୍ତା ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ, ପଦ୍ମା ନଦୀର ଜଳସ୍ତର ଦିନବେଳେ ବୃଦ୍ଧି ପାଇଥିଲେ ହେଁ ସନ୍ଧ୍ୟା ସୁଦ୍ଧା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ସୋରଡ଼ା ଅଞ୍ଚଳରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।
ଆଗକୁ ପ୍ରବଳ ବର୍ଷାର ସମ୍ଭାବନା ନଥିବାରୁ ଏବଂ ସମସ୍ତ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ତଳେ ଥିବାରୁ ଜଳ ନିଷ୍କାସନ ବୁଧବାର ସନ୍ଧ୍ୟାରୁ ବନ୍ଦ କରାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ଭଞ୍ଜନଗର ଜଳଭଣ୍ଡାରରେ ୭୮.୫୮ ପ୍ରତିଶତ ଜଳ ମହଜୁଦ ଥିବା ବେଳେ ସୋରଡ଼ା ଜଳଭଣ୍ଡାରରେ ୯୧.୭୨ ପ୍ରତିଶତ, ଡହ ଜଳଭଣ୍ଡାରରେ ୭୪.୯୪ ପ୍ରତିଶତ ଏବଂ ବାଘୁଆ ଜଳଭଣ୍ଡାରରେ ୭୧.୪୭ ପ୍ରତିଶତ ଜଳ ରହିଛି। ଭଞ୍ଜନଗର ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ କହିଛନ୍ତି ଯେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ନଜର ରଖାଯାଇଛି।
ଅନ୍ୟପଟେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ଓ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମା ପ୍ରମୁଖ ବିଭିନ୍ନ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ସେମାନେ ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ରହିଥିବା ଲୋକଙ୍କୁ ଭଲମନ୍ଦ ପଚାରି ବୁଝିବା ସହ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।