ଭୁବନେଶ୍ୱର,୨୧।୧୧ (ରବିନାରାୟଣ ଜେନା): ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଶୁକ୍ରବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ ସଂସଦୀୟ ବ୍ୟାପାର ତଥା ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସଦସ୍ୟ ରଘୁନାଥ ଜଗଦଲାଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଡାକିଥିଲେ। ମନ୍ତ୍ରୀ ନେଟଓ୍ବର୍କ ସମ୍ପର୍କରେ କହିବାକୁ ଉଦ୍ୟମ କରିବା କ୍ଷଣି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ଗୃହର ମଧ୍ୟଭାଗକୁ ଚାଲି ଆସି ହାତରେ ବ୍ୟାନର ଧରି ପ୍ରବଳ ହଟ୍ଟଗୋଳ କରିଥିଲେ। ସେହିପରି ବିଜେଡିର ଉପମୁଖ୍ୟସଚେତକ ପ୍ରତାପ ଦେବ ଏବଂ ସଦସ୍ୟ ଗୌତମବୁଦ୍ଧ ଦାସ, ଧ୍ରୁବଚରଣ ସାହୁ ପ୍ରମୁଖ ଗଞ୍ଜାମ ବନ୍ୟା ମନୁଷ୍ୟକୃତ ବୋଲି ଦର୍ଶାଇ ଗୃହର ମଧ୍ୟଭାଗରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହି ସମୟରେ ବାଚସ୍ପତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସଦସ୍ୟ ପ୍ରତାପ ପ୍ରଧାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଡାକିଥିଲେ। ମନ୍ତ୍ରୀ ସୂରଜ +୩ ମହାବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ଉତ୍ତର ପଢୁଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଗୃହରେ ଅସ୍ବାଭାବିକ ସ୍ଥିତିକୁ ନେଇ ବାଚସ୍ପତି ପାଢ଼ୀ ପ୍ରଥମେ ୧୦ଟା ୪୦ମିନିଟ୍ରୁ ୧୧ଟା ୩୦ମିନିଟ୍ ଯାଏ ମୁଲତବୀ ଘୋଷଣା କରିଥିଲେ। ପରେ ୧୧ଟା ୩୦ମିନିଟ୍ରେ ବାଚସ୍ପତି ପାଢ଼ୀ ସର୍ବଦଳୀୟ ବୈଠକର ନିଷ୍ପତ୍ତିକ୍ରମେ ବାତ୍ୟା ‘ଅକ୍ୱାନ’ ପାଇଁ ଗୃହକୁ ୨୩ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ଯାଏ ମୁଲତବୀ କରାଗଲା ବୋଲି ଘୋଷଣା କରିଥିଲେ। ଗୃହ ମୁଲତବୀ ପରେ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ପରସ୍ପର ଉପରକୁ ଦୋଷାରୋପ କରିଥିଲେ।
କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ, କୋଟିଆ ଆମର। ମା’ମାଟି ଆଗ,ଦଳ ପଛ। କୋଟିଆ ପାଇଁ ଲଢ଼େଇ ଜାରି ରହିବ। ଦରକାର ପଡ଼ିଲେ ବିଧାନସଭାରେ ଆତ୍ମାହୁତି ଦେବି ବୋଲି ସେ ଚେତାବନୀ ଦେଇଥିଲେ। ସେ କହିଥିଲେ, ସର୍ବଦଳୀୟ ବୈଠକରେ ଗୃହରେ କେଉଁ କେଉଁ ବିଭାଗ ଉପରେ ଆଲୋଚନା ହେବ, ସେନେଇ ଗୁରୁବାର ନିଷ୍ପତ୍ତି ହୋଇଥିଲା। ଗୃହ ପରିଚାଳନା ପାଇଁ ବୈଠକ ଡକାଯାଇଥିଲା, ମାତ୍ର ଗୃହ ଚଳାଇବା ଲାଗି ନୁହେଁ। ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହେଉଛି କୋଟିଆ। କେବଳ କୋଟିଆ ନୁହେଁ, ଆନ୍ଧ୍ର ସରକାର ଦୀର୍ଘବର୍ଷ ଧରି ନନ୍ଦପୁରଠାରୁ ପଟ୍ଟାଙ୍ଗି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳର ପ୍ରାୟ ୫୦ଟି ଗାଁ ଉପରେ ନିଜର ଦାବି ଜାହିର କରିଆସୁଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଭଳି ପଡ଼ୋଶୀ ରାଜ୍ୟର ହସ୍ତକ୍ଷେପ ଏବଂ ସୀମା ବିବାଦ ସମ୍ପର୍କରେ ଗୃହରେ ବିସ୍ତୃତ ଆଲୋଚନା ହେବା ଦରକାର। ମୋ ଜୀବନଠାରୁ ମୋ ମାଟି ଅଧିକ ମୂଲ୍ୟବାନ ବୋଲି ତାରା କହିଥିଲେ। ବିଜେଡି ସଦସ୍ୟ ଗୌତମବୁଦ୍ଧ ଦାସ କହିଥିଲେ, ଗୃହ ଚଳାଇବାର ଚାବିକାଠି ଶାସକ ଦଳ ହାତରେ। ହେଲେ ଶାସକଦଳ ତିନି ଦିନ ଧରି ଗୋଟିଏ କଥା କହୁଛନ୍ତି। ବିଧାନସଭା ଆରମ୍ଭରୁ ସରକାର କହିଥିଲେ ସବୁ ପ୍ରସଙ୍ଗରେ ଆଲୋଚନା କରିବେ। ଆମେ ଗଞ୍ଜାମ ବନ୍ୟା କ୍ଷୟକ୍ଷତି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରୁଛୁ, ହେଲେ ସରକାର ଶୁଣୁ ନାହାନ୍ତି। ବାତ୍ୟା ଓ ବନ୍ୟା ପ୍ରସଙ୍ଗରେ ଆଲୋଚନା ନ କରି ଶାସକ ଦଳ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହା ବୁଝାପଡୁନାହିଁ।
ଅନ୍ୟପକ୍ଷରେ ଭାଜପା ସଦସ୍ୟ ସନ୍ତୋଷ ଖଟୁଆ କହିଛନ୍ତି, ଗତ ୫୦ ବର୍ଷ ଭିତରେ କଂଗ୍ରେସ କ’ଣ କରିଛନ୍ତି ଚିଠା ଦିଅନ୍ତୁ l ଡବଲ୍ ଇଞ୍ଜିନ୍ ସରକାର କୋଟିଆର ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି l ଏହି ଅଞ୍ଚଳରେ ବହୁ ଖଣିଜ ସମ୍ପଦ ମଧ୍ୟ ରହିଛି। କୋଟିଆ ପ୍ରସଙ୍ଗକୁ କେବଳ ଏକ ଅଞ୍ଚଳର ବିକାଶ କିମ୍ବା କୌଣସି ଗୋଟିଏ ସରକାରର ପ୍ରସଙ୍ଗ ଭାବେ ଦେଖିବା ଉଚିତ ନୁହେଁ। ଦୁଇଟି ରାଜ୍ୟ ମଧ୍ୟରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୀମା ବିବାଦ ଏବଂ ଓଡ଼ିଶାର ଅଖଣ୍ଡତା ଓ ସ୍ବାଭିମାନର ପ୍ରଶ୍ନ। ଏହାକୁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରଖି ସମସ୍ତେ ଗମ୍ଭୀରତାର ସହ ଆଲୋଚନା କରିବା ଆବଶ୍ୟକ। ସେହିପରି ବିଜେଡି ଯେଉଁ ଗଞ୍ଜାମ ବନ୍ୟା ପ୍ରସଙ୍ଗ କହୁଛନ୍ତି, ତାହା ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଖଟୁଆ କହିଛନ୍ତି।