ପୁଣି ଆସୁଛି ବାତ୍ୟା! ୬ ଘଣ୍ଟାରେ ଅବପାତ, ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ

ଭୁବନେଶ୍ୱର,୩୧।୧୦: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଖାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ଏହାପରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ୨ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳ ଆଡକୁ ଗତି କରିପାରେ। ଅବପାତର ସ୍ଥିତି ଓ ତୀବ୍ରତା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାବାସୀଙ୍କୁ ପୁଣି ବର୍ଷା ଡର ଘାରିଛି।
ପାଣିପାଗ ଆକଳନ ଅନୁସାରେ, ଏହା ଧୀରେ ଧୀରେ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ। ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି।
ନୂଆ ଘୂର୍ଣ୍ଣିବଳୟର ପ୍ରଭାବରେ ଓଡ଼ିଶାରେ ମଧ୍ୟ ପାଗରେ ପରିବର୍ତ୍ତନ ହୋଇପାରେ। କିଛି ସ୍ଥାନରେ ବର୍ଷା, ଘଡ଼ଘଡ଼ି ଓ ପବନ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ବାତ୍ୟା ‘ଅର୍ଣ୍ଣବ’ ପରେ ଜାରି ରହିଥିବା ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା ଲାଗି ରହିଛି। ଶୁକ୍ରବାର ବର୍ଷା ପରିମାଣ କମିଥିଲେ ମଧ୍ୟ ସାରା ରାଜ୍ୟରେ ବର୍ଷିଛି। ୨୬ଟି ସ୍ଥାନରେ ପ୍ରବଳ ବର୍ଷା ଓ ୪ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ‘ଅର୍ଣ୍ଣବ’ ଇତିମଧ୍ୟରେ ଦୁର୍ବଳ ହୋଇ ଲଘୁଚାପ ସ୍ଥିତିକୁ ଫେରିବା ସହ ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୪.୫ କିମି ଉଚ୍ଚତା ଯାଏ ବିସ୍ତାର କରିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାକୁ ଝଡ଼ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ସର୍ବାଧିକ ବେଗ ୫୦ କି.ମି. ପର୍ଯ୍ୟନ୍ତ ରହିପାରେ। ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାକୁ ଝଡ଼ବର୍ଷା ସହ ସର୍ବାଧିକ ୫୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

Dharitri – Odisha’s No.1 Odia Daily

 

Share