ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ୱର,୨୫ା୯(ବ୍ୟୁରୋ)- ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି। ଏହା ପଶ୍ଚିମ ଦିଗ ଦେଇ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉପକୂଳକୁ ମାଡ଼ିଚାଲିଛି। ବାତ୍ୟା ଗୋପାଳପୁରଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୩୫୦ କି.ମି. ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ଠାରୁ ପୂର୍ବ ଉତ୍ତର ପୂର୍ବ ଦିଗର ୪୦୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ କଳିଙ୍ଗପଟନମ୍‌ ଏବଂ ଗୋପାଳପୁର ମଧ୍ୟଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଘଣ୍ଟା ପ୍ରତି ୬୫ରୁ ୭୫ କି.ମି. ବେଗରେ ପବନ ବହିବ। ସ୍ଥଳଭାଗ ଅତିକ୍ରମ କରିବା ବେଳେ ଏହାର ବେଗ ଆହୁରି ବଢ଼ିଯିବ। ଘଣ୍ଟା ପ୍ରତି ୭୦ରୁ ୯୦ କିଲୋମିଟର ଏବଂ ବେଳେ ବେଳେ ଏହା ୧୦୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ବାତ୍ୟାରେ ପବନର ବେଗ କମ ରହିଲେ ମଧ୍ୟ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ପ୍ରଭାବରେ ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ କଳାହାଣ୍ଡି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏହିସବୁ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୨୭ ତାରିଖରେ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, ବୌଦ୍ଧ, ସୋନପୁର, ଗଞ୍ଜାମ, ଗଜପତି ଏବଂ ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ୨୭ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଏଥିସହିତ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ସମୁଦ୍ର ଢେଉ ୫ ମିଟର ଉଚ୍ଚରେ ଉଠିବା ସହିତ କଚ୍ଚାଘର, ବିଦ୍ୟୁତ୍‌ ଖୁଣ୍ଟ, ଗଛ ଭାଙ୍ଗିବା ସମ୍ଭାବନା ରହିଛି।