ଗଞ୍ଜାମ,୨୮ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ବଡ଼ ବଜାର ଠାରେ ଗତ ଅଗଷ୍ଟ ୩୧ରେ ଉଦ୍ଘାଟନ ହୋଇଥିବା ବିଦ୍ୟୁତ୍ ଖୁଣ୍ଟ ବୁଧବାର ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏଥିସହ ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ପଡିଛି। ଗତ ଦୁଇଦିନ ହେବ ଏହି ଅଧିକ ପବନ ସାଙ୍ଗକୁ ଲଗାଣ ବର୍ଷା ଯୋଗୁ ତ୍ରିବେଣୀ ମଠ ଛକଠାରୁ ଆହାର କେନ୍ଦ୍ର ପର୍ଯ୍ୟନ୍ତ ବର୍ଷା ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଓ୍ବାର୍ଡ ନଂ ୭ ସନ୍ତୋଷୀ ନାୟକଙ୍କ ଘର ଉପରୁ ପାଲ ଉଡ଼ିଯାଇଛି। ଏକ କୋଠ ଘରେ ଆଶ୍ରୟ ନେଇଛନ୍ତି ସନ୍ତୋଷୀ ଓ ତାଙ୍କ ଝିଅ। ଜରି ପାଲ ଚାଳ ଛପର ଘର ବର୍ଷା ପବନ ଜୋର୍ରେ ହେଉଥିବାରୁ ଜୀବନ ବିକଳରେ ଘରୁ ପଦାକୁ ବାହାରି ଯାଇଥିଲେ ମା’ ଝିଅ। ସାହି ବସିନ୍ଦାଙ୍କ ସହଯୋଗରେ ସେମାନେ ଏବେ କୋଠ ଘରେ ଆଶ୍ରୟ ନେଉଛନ୍ତି। ଏଭଳି ପରିସ୍ଥିତିରେ ଏନ୍ଏସି ପ୍ରଶାସନ କିମ୍ବା ଲୋକ ପ୍ରତିନିଧିଙ୍କ ଦେଖା ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ। କିଛି ବଡ଼ ଅଘଟଣ ହେଲେ ନେତା ଠାରୁ ମନ୍ତ୍ରୀ ଉଚ୍ଚ ପ୍ରଶାସନ ମାଳମାଳ ଦେଖାଦେବେ ବୋଲି ସାହି ବାସିନ୍ଦା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି କିନ୍ତୁ ଏନ୍ଏସି ପ୍ରଶାସନ ଏହାର ବ୍ୟତିକ୍ରମ କରୁଥିବା ଅଭିଯୋଗ ହେଉଛି। ଜିଲା ଉଚ୍ଚ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।