ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ ଆନ୍ଧ୍ର ପ୍ରଦେଶର  କାକିନାଡ଼ା ପାଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପାଇଁ ୨ ଜିଲ୍ଲାକୁ ରେଡ୍ ଆଲର୍ଟ, ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ପବନର ବେଗ ରହିବ ୪୦ ରୁ ୫୦ ଓ ଝଟକା ପବନ ୫୦ କିମି ରହିପାରେ । ସେହିପରି କୋରାପୁଟ, ମାଲକାନଗିରିରେ ବର୍ଷା ସହ ପବନର ବେଗ ଅଧିକ ରହିବ ଅର୍ଥାତ ଘଣ୍ଟା ପ୍ରତି ପବନର ବେଗ ୫୦ ରୁ ୬୦ କିମ୍ବା ଝଟକା ପବନ ୭୦ କିମି ରହିବ। ରାୟଗଡ଼ା,କନ୍ଧମାଳ,ନୟାଗଡ଼,ପୁରୀ,ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶା ଅଭିମୁଖେ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଭୁବନେଶ୍ୱର ଘରୋଇ ବସ୍‌ ମାଲିକ ସଂଘ କୋଷାଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି।

ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ପର୍ଯ୍ୟନ୍ତ ଏହି ରୁଟ୍‌ରେ ୧୫୦ରୁ ଅଧିକ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। କେବଳ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶା ନୁହେଁ, ବରଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ରାଜଧାନୀକୁ ଆସୁଥିବା ବସ୍‌ ସେବା ମଧ୍ୟ ସମ୍ପୂର୍ଣ୍ଣ ଠପ୍‌ ରହିବ।

Share