ଭୁବନେଶ୍ୱର, ୧୯।୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ସମୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ନିରବଚ୍ଛିନ୍ନ ରଖିବା ପାଇଁ ଟେଲିକମ୍ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଖରାପ ପାଗ ଯୋଗୁ ମୋବାଇଲ୍ ନେଟୱର୍କ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ରାଜ୍ୟର ୬ଟି ସମ୍ଭାବ୍ୟ ପ୍ରଭାବିତ ଜିଲାରେ ‘ଇନଟ୍ରା ସର୍କଲ ରୋମିଂ’ (ICR) ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ (ଆକ୍ଟିଭ୍) କରାଯାଇଛି।
ସୂଚନା ଅନୁଯାୟୀ, ଗଞ୍ଜାମ, ଗଜପତି, ପୁରୀ ଏବଂ ଖୋର୍ଦ୍ଧା ସମେତ ମୋଟ ୬ଟି ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଆଜି ଅର୍ଥାତ୍ ନଭେମ୍ବର ୧୯ ତାରିଖ ରାତି ୧୧ଟା ୫୯ ମିନିଟ୍ରୁ ଆସନ୍ତାକାଲି (ନଭେମ୍ବର ୨୦) ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହି ସୁବିଧା ବଳବତ୍ତର ରହିବ।
ବାତ୍ୟା ଓ ଖରାପ ପାଗ ସମୟରେ ଯଦି କୌଣସି ନିର୍ଦ୍ଦିଷ୍ଟ ଟେଲିକମ୍ କମ୍ପାନୀର ନେଟୱର୍କ ବାଧାପ୍ରାପ୍ତ ହୁଏ କିମ୍ବା ଟାୱାର ଅଚଳ ହୋଇଯାଏ, ତେବେ ଉପଭୋକ୍ତାମାନେ ଚିନ୍ତିତ ହେବାର କୌଣସି କାରଣ ନାହିଁ। ଇନଟ୍ରା ସର୍କଲ ରୋମିଂ (ICR) ସୁବିଧା ମାଧ୍ୟମରେ ଯେକୌଣସି ନେଟୱର୍କର ଗ୍ରାହକ ନିଜ ଅଞ୍ଚଳରେ ଉପଲବ୍ଧ ଥିବା ଅନ୍ୟ ଯେକୌଣସି ଟେଲିକମ୍ କମ୍ପାନୀର ନେଟୱର୍କ ବ୍ୟବହାର କରି କଲ୍ ଏବଂ ଇଣ୍ଟରନେଟ୍ ସେବା ପାଇପାରିବେ। ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ ବିଚ୍ଛିନ୍ନ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।