ବାତ୍ୟାକୁ ନେଇ ୨ଦିନ ସ୍କୁଲ ଛୁଟି ଘୋଷଣା, ଜାଣନ୍ତୁ କେଉଁଠି?

ଭୁବନେଶ୍ୱର, ୧୭।୧୧: ଆସୁଛି ବାତ୍ୟା ଅକୱାନ୍ । ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବାତ୍ୟା । ବାତ୍ୟାର ନୂଆ ଟ୍ରାକ୍ ମଧ୍ୟ ଜାରି କରାଯାଇଛି । ଏ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ତେବେ ସମ୍ଭାବ୍ୟ ବାତ୍ୟା ଅକୱାନ୍‌କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଘୋଷଣା କରାଯାଇଛି ।

ବାତ୍ୟା ଆଶଙ୍କାକୁ ନେଇ ଆଲର୍ଟ ମୋଡ୍‌ରେ ମାଲକାନଗିରି ଜିଲ୍ଲା ପ୍ରଶାସନ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’କୁ ନେଇ ଜିଲ୍ଲାରେ ଜାରି ହୋଇଛି ଏକାଧିକ ଜରୁରୀ ନିର୍ଦ୍ଦେଶନାମା । ଆସନ୍ତା ୧୯ ଓ ୨୦ ତାରିଖରେ ଛୁଟି ରହିବ ସ୍କୁଲ । ମାଲକାନଗିରିର ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ତେବେ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ନିଜ ଦାୟିତ୍ୱରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି ।

୧୯ ତାରିଖ ପାଇଁ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ସେହିପରି ୨୦ ତାରିଖ ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ ଆଲର୍ଟ କରାଯାଇଛି । ସେହିପରି ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ୨୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଆଲର୍ଟ କରାଯାଇଛି । ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ସେପଟେ ୨୨ ତାରିଖରେ ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି । ୮ ଜିଲ୍ଲାକୁ ୟେଲୋ ଆଲର୍ଟରେ ରଖାଯାଇଛି ।

Share