ଭୁବନେଶ୍ୱର,୧୯ା୧୧ (ସୁଚିସ୍ମିତା ସାହୁ): ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ରାଜ୍ୟର ୧୦ଟି ଜିଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୬ ଜିଲାରେ ୩ ଦିନ ଓ ୪ ଜିଲାରେ ୨ ଦିନ ସ୍କୁଲ ଯିବେନି ଛାତ୍ରୀଛାତ୍ର। ଗଞ୍ଜାମ, ଗଜପତି, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲାରେ ୧୯ ରୁ ୨୧ ତାରିଖ ଯାଏ ତିନିଦିନ ସ୍କୁଲରେ ପାଠପଢ଼ା ବନ୍ଦ କରାଯାଇଥିବାବେଳେ ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ ଏବଂ ରାୟଗଡା ଜିଲାରେ ୧୯ ଓ ୨୦ ତାରିଖରେ ସ୍କୁଲ ସହ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ଛୁଟି କରାଯାଇଛି। ଆବଶ୍ୟକ ପଡ଼ିଲେ ପରିସ୍ଥିତିର ସମୀକ୍ଷା କରି ଛୁଟି ଅବଧି ବୃଦ୍ଧି କରିବାକୁ ଜିଲାପାଳମାନେ ନିଷ୍ପତ୍ତି ନେଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।