ଗୁଡାରି, ୧୯।୧୧ (ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଗୁଡାରି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ବ୍ଲକର ୩ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ମୋଟ ୫୯ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଗୁରୁବାର ସନ୍ଧ୍ୟାରେ ଗୁଡାରି ଅଞ୍ଚଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।
ପ୍ରଶାସନିକ ସୂଚନା ଅନୁଯାୟୀ, କରଲାଘାଟି ଗ୍ରାମପଞ୍ଚାୟତର ସମ୍ବରଲେଣ୍ଡି ବିଦ୍ୟାଳୟସ୍ଥିତ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଆଡିପଦର ଗ୍ରାମର ୩୦ ଜଣଙ୍କୁ ରଖାଯାଇଛି। ସେହିପରି ପେଣ୍ଡିଲି ଗ୍ରାମପଞ୍ଚାୟତର ତେମ୍ବାଗୁଡା ବିଦ୍ୟାଳୟରେ ହେଣ୍ଡାଢାପା ଗ୍ରାମର ୨୦ ଜଣ ଏବଂ ଖାରିଗୁଡା ଗ୍ରାମପଞ୍ଚାୟତର ସାନଗୋରଠା ବିଦ୍ୟାଳୟରେ ପଞ୍ଚାୟତର ବିଭିନ୍ନ ଗ୍ରାମର ୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।
ସମସ୍ତ ଆଶ୍ରୟସ୍ଥଳୀରେ ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ପରିଚାଳନା ଦାୟିତ୍ୱରେ ସମ୍ବରଲେଣ୍ଡିରେ ଗୋପାଳ ଗନ୍ତାୟତ, ତେମ୍ବାଗୁଡାରେ ମଞ୍ଜିତ ଓଝା ଏବଂ ସାନଗୋରଠାରେ କିଶୋର ସାହୁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଆବଶ୍ୟକ ପଡ଼ିଲେ ବ୍ଲକର ଅସଡା, ଖାରିଗୁଡା, ମଧୁବନ, ଏମ୍.କେ. ରାଇ, ପେଣ୍ଡିଲି ଏବଂ ଶିରିଗୁଡା ଗ୍ରାମପଞ୍ଚାୟତ ପାଇଁ ଆଉ ୧୫ଟି ଅତିରିକ୍ତ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ବିଡିଓ ସୌଭାଗ୍ୟ ରଞ୍ଜନ କର ସୂଚନା ଦେଇଛନ୍ତି।
ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଗୁଡାରିସ୍ଥିତ ମା’ ଗୃହକୁ ୬ ଜଣ ଗର୍ଭବତୀ ମହିଳାଙ୍କୁ ଅଣାଯାଇଛି। ଏହାପୂର୍ବରୁ ଗତକାଲି (ବୁଧବାର) ସ୍ଥାନାନ୍ତର କରାଯାଇଥିବା ୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୩ ଜଣଙ୍କର ସୁରକ୍ଷିତ ଭାବେ ପ୍ରସବ ହୋଇଥିବା ବେଳେ ୨ ଜଣ ଗର୍ଭବତୀ ମହିଳାଙ୍କୁ ଅଧିକ ଚିକିତ୍ସା ପାଇଁ ଗୁଣୁପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ରେଫର କରାଯାଇଥିବା ସିଡିପିଓ ଅନିତା ପାଣିଗ୍ରାହୀ ସୂଚନା ଦେଇଛନ୍ତି।