ବାତ୍ୟା ‘ଅକ୍ୱାନ’ ପାଇଁ ଅଣ୍ଟା ଭିଡ଼ିଲା ଖୋର୍ଦ୍ଧା ପ୍ରଶାସନ: ଆଶ୍ରୟସ୍ଥଳୀରେ ପହଞ୍ଚିଲେ ୧୮ ହଜାରରୁ ଅଧିକ ଲୋକ, ୩୯୧ ଆଶ୍ରୟସ୍ଥଳୀ…

ଖୋର୍ଦ୍ଧା, ୧୯।୧୧ (ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍‌ଭାନ୍‌’ର ସଫଳ ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରହିଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲାର ବିଭିନ୍ନ ବ୍ଲକ୍‌ ଓ ପୌରାଞ୍ଚଳର ତଳିଆ ତଥା ବିପଦସଙ୍କୁଳ ଅଞ୍ଚଳରୁ ଏପର୍ଯ୍ୟନ୍ତ ମୋଟ ୧୮ ହଜାର ୨୯୩ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ହୋଇଥିବା ଲୋକଙ୍କ ମଧ୍ୟରେ ୧୫ ହଜାର ୧୦୮ ଜଣ ବୟସ୍କ ବ୍ୟକ୍ତି ଏବଂ ୩ ହଜାର ୧୮୫ ଜଣ ଶିଶୁ ରହିଛନ୍ତି। ବିପନ୍ନମାନଙ୍କ ରହଣି ଓ ସୁରକ୍ଷା ପାଇଁ ସମଗ୍ର ଜିଲାରେ ମୋଟ ୩୯୧ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି। ପ୍ରଶାସନ ପକ୍ଷରୁ ବ୍ଲକ୍‌ ଓ ସହରାଞ୍ଚଳ ସ୍ତରରେ ସ୍ଥାନାନ୍ତର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି।

ପ୍ରଶାସନିକ ସୂତ୍ରରୁ ମିଳିଥିବା ବ୍ଲକ୍‌ୱାରୀ ତଥ୍ୟ ଅନୁଯାୟୀ, ବାଲିପାଟଣା ବ୍ଲକ୍‌ରୁ ସର୍ବାଧିକ ୩,୧୯୩ ଜଣ ଓ ବାଣପୁର ବ୍ଲକ୍‌ରୁ ୩,୧୩୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ବାଲିଅନ୍ତା ବ୍ଲକ୍‌ରୁ ୨,୫୮୯ ଜଣ, ବୋଲଗଡ଼ରୁ ୧,୭୬୧ ଜଣ, ଖୋର୍ଦ୍ଧାରୁ ୧,୫୨୪ ଜଣ, ଚିଲିକାରୁ ୧,୧୧୫ ଜଣ, ଟାଙ୍ଗୀରୁ ୧,୦୪୫ ଜଣ, ବେଗୁନିଆରୁ ୯୨୨ ଜଣ, ଜଟଣୀରୁ ୮୯୪ ଜଣ ଏବଂ ଭୁବନେଶ୍ୱର ବ୍ଲକ୍‌ରୁ ୮୯୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ସହରାଞ୍ଚଳ ମଧ୍ୟରେ ଖୋର୍ଦ୍ଧା ପୌରାଞ୍ଚଳରୁ ୬୮୧ ଜଣ, ବାଲୁଗାଁ ଏନ୍‌ଏସିରୁ ୨୬୨ ଜଣ, ବାଣପୁର ଏନ୍‌ଏସିରୁ ୧୭୭ ଜଣ ଏବଂ ଜଟଣୀ ପୌରାଞ୍ଚଳରୁ ୧୦୫ ଜଣଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ତେବେ ଟାଙ୍ଗୀ ଏନ୍‌ଏସିରୁ ଏପର୍ଯ୍ୟନ୍ତ କାହାକୁ ସ୍ଥାନାନ୍ତର କରାଯାଇ ନଥିବା ସୂଚନା ମିଳିଛି। ବାତ୍ୟାର ମୁକାବିଲା ଓ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଜିଲା ପ୍ରଶାସନ ପକ୍ଷରୁ ସମଗ୍ର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଆବଶ୍ୟକୀୟ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share