ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ୧୪ ମିଟର ଉଚ୍ଚକୁ ଉଠିବ ସମୁଦ୍ର ଢେଉ, ୭୦ କି.ମି. ବେଗରେ…

ଭୁବନେଶ୍ୱର, ୧୭ା୧୧ (ବନ୍ଦନା ସେଠୀ) – ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା ଆହୁରି ଶକ୍ତିଶାଳୀ ହୋଇ ଭୀଷଣ ବାତ୍ୟା ଏବଂ ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ପରେ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୦ ତାରିଖ ଶୁକ୍ରବାର ଦ୍ୱିପ୍ରହର ବେଳକୁ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଏବଂ ଟୁନି ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ସର୍ବାଧିକ ବେଗ ୧୪୫ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲ୍ୟାଣ୍ଡ୍‌ଫଲ୍‌ ପରେ ବାତ୍ୟା ଆଗକୁ ବଢ଼ିବା ସମୟରେ ଏହା କ୍ରମଶଃ ଦୁର୍ବଳ ହେବ ଓ ବାତ୍ୟାର ବାହ୍ୟ ବଳୟ ଓଡ଼ିଶାକୁ ଛୁଇଁବ। ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାପୂର୍ବରୁ ଅର୍ଥାତ୍‌ ୧୮ ତାରିଖ ସନ୍ଧ୍ୟା ପରେ ଓଡ଼ିଶାରେ ପବନର ବେଗ ବଢିବ। ୨୦ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସର୍ବାଧିକ ପବନର ବେଗ ୭୦ କି.ମି. ରହିବା ନେଇ ଆକଳନ କରାଯାଇଛି। ସେହିପରି ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି ଆନ୍ଧ୍ରକୁ ଲାଗି ରହିଥିବା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ଭୀଷଣ ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବା ସହିତ ତରଙ୍ଗର ଉଚ୍ଚତା ୧୨ ମିଟର ଏବଂ ଅତି ଭୀଷଣ ବାତ୍ୟା ସମୟରେ ତରଙ୍ଗର ଉଚ୍ଚତା ୧୪ ମିଟରରୁ ଅଧିକ ହୋଇପାରେ। ତେଣୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ଉଚିତ ନୁହେଁ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାରଠାରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ। ଗଜପତି, ଗଞ୍ଜାମ ଓ ପୁରୀ ଜିଲାରେ ପ୍ରବଳ ବର୍ଷା ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାକୁ ଝଡ଼ବର୍ଷା ସହ ୫୦ କି.ମି. ବେଗରେ ପବନ ବହିବା ନେଇ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଗୁରୁବାର ୧୯ ତାରିଖରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଜପତି, ଗଞ୍ଜାମ, ପୁରୀ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ୨୦ ତାରିଖ ପାଇଁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଏବଂ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

Dharitri – Odisha’s No.1 Odia Daily

Share