କମ୍ପାନୀ ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ: ରାସ୍ତା ଅବରୋଧ, ଚାପା ଉତ୍ତେଜନା

ବରଗଡ଼ ଅଫିସ,୨୦।୯: ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବେଦାନ୍ତ କମ୍ପାନୀର ଏକ ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ, ବରଗଡ଼ ସଦର ଥାନା ଅନ୍ତର୍ଗତ ଗୁଡେଶିରା ଗ୍ରାମର ଅଲେଖ ହରିପାଲ (୬୦) । ସେ ନିଜ ଗୋରୁଙ୍କ ପାଇଁ ସାଇକେଲରେ ଘାସ ବୋଝେଇ କରି ରାସ୍ତା ଅତିକ୍ରମ କରୁଥିବା ସମୟରେ ବେଦାନ୍ତ କମ୍ପାନୀର ଏକ ବଲକର୍‌ ଗାଡି ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଲେଖ ଜଣେ ଦିନ ମଜୁରିଆ ଏବଂ ତାଙ୍କ ଉପରେ ପରିବାରର ଲୋକେ ନିର୍ଭର କରି ଆସୁଥିଲେ। ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ହଲଦୀପାଲି ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାଶର୍‌ବରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ହଲଦୀପାଲି ଛକ ନିକଟରେ ରାସ୍ତା ଉପରେ ଲମ୍ବା ଧାଡିରେ ବେଦାନ୍ତ କମ୍ପାନୀର ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଧରି ଛିଡା ହୋଇ ରହୁଛି ଏବଂ ଟ୍ରାଫିକ ସମସ୍ୟା ଉପୁଜୁଛି। ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ବଢି ଚାଲିଛି।