କଟକ ଶଙ୍କରପୁର କଣ୍ଟେନମେଣ୍ଟ ଜୋନ୍‌

କଟକ ଅଫିସ,୨୨।୭: କଟକ ମହାନଗର ନିଗମ(ସିଏମ୍‌ସି)ର ୩୭ ନମ୍ବର ୱାର୍ଡ ପରିଡାସାହି, ଶଙ୍କରପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଠାରୁ କେତେକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସାହିକୁ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି। ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ସିଏମ୍‌ସି ତରଫରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି। ଏହା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ୧୫ ନମ୍ବର ୱାର୍ଡର ଖଟବିନ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଏହି ଦୁଇଟି ସାହିକୁ ମିଶାଇ ବର୍ତ୍ତମାନ ସିଏମ୍‌ସି ଅଞ୍ଚଳରେ ୪ଟି କଣ୍ଟେନମେଣ୍ଟ ଜୋନ୍‌ ରହିଛି। ଅନ୍ୟ ଦୁଇଟି ଅଞ୍ଚଳ ହେଲା ପୁରୁଣା ରାଉସପାଟଣା ଏବଂ ପ୍ରତପ ନଗରୀ।