ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଅନୁସୟା ମହାରଣାଙ୍କୁ ନିଲମ୍ବିତ କରାଯାଇଛି। ଶିକ୍ଷୟିତ୍ରୀ ଜଣକ ପରୀକ୍ଷା ନିରୀକ୍ଷକ ଦାୟିତ୍ୱରେ ଥିବା ହଲ୍‌ ମଧ୍ୟକୁ ଜଣେ କନେଷ୍ଟବଳ ପ୍ରବେଶ କରି ଜଣେ ପରୀକ୍ଷାର୍ଥୀଙ୍କୁ କପି ଦେଇଥିଲେ। ଏହା ଦେଖିଥିଲେ ବି ଶିକ୍ଷୟିତ୍ରୀ ଜଣକ କିଛି ନ କହି ନିରବ ରହିଥିଲେ। ସେଥିପାଇଁ ବୋର୍ଡର ସୁପାରିଶ କ୍ରମେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି।

ସୂଚନାନୁଯାୟୀ, ଫେବୃଆରୀ ୨୦ରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ସେହିଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ଥିଲା। ନରସିଂହପୁରସ୍ଥିତ ଅନନ୍ତ ନାରାୟଣ ଉଚ୍ଚବିଦ୍ୟାଳୟରେ ମଧ୍ୟ ପିଲା ପରୀକ୍ଷା ଦେଉଥିଲେ। ଏହି କେନ୍ଦ୍ରର ଏକ ରୁମ୍‌ରେ ଶିକ୍ଷୟିତ୍ରୀ ଅନୁସୟା ନିରୀକ୍ଷକ ଭାବେ ନିୟୋଜିତ ହୋଇଥିଲେ। ପରୀକ୍ଷା ଚାଲିଥିବା ବେଳେ ତାଙ୍କ ଉପସ୍ଥିତିରେ ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଥିବା ଜଣେ ମହିଳା ହୋମଗାର୍ଡ ଜଣେ ପରୀକ୍ଷାର୍ଥୀଙ୍କୁ କପି ଦେଇଥିଲେ, ଯାହାକି ଏଆଇରେ ରେକର୍ଡ ହୋଇଯାଇଥିଲା। ଏନେଇ ଜଣାପଡ଼ିବା ପରେ ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।