୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରି ଆସୁଛନ୍ତି। ଏଥିରେ କୌଣସି ଦ୍ୱିଧା ନାହିଁ। ମାତ୍ର କଟକ ଜିଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକଙ୍କ ଲିଖିତ ବୟାନ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ୧୯୭୩ରେ ଏହି ଶିକ୍ଷା ବ୍ୟବସ୍ଥା କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସସ୍ଥିତ ହଂସନାଥ ଉଚ୍ଚ ବିଦ୍ୟାଳୟରେ ପ୍ରଚଳିତ ଥିଲା। ଏହି ଶିକ୍ଷା ପଦ୍ଧତିରେ ରାଜ୍ୟରେ ଜଣେ ମାତ୍ର ପିଲା ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ୧୯୭୩ରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇ ୧୯୭୬ରେ ମାଟ୍ରିକ ପରୀକ୍ଷା ଦେଇ ଫେଲ ହୋଇଥିଲେ। ୧୯୭୮ରେ ବିଦ୍ୟାଳୟ ପରିତ୍ୟାଗ ସାର୍ଟିଫିକେଟରୁ ଏହା ଜଣାପଡ଼ିଛି।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହାଞ୍ଜଳି ଦାସ ରେକର୍ଡ ଯାଞ୍ଚ ପରେ ଏହା ସତ୍ୟ ବୋଲି ମାଧ୍ୟମିକ ଶିକ୍ଷା ପରିଷଦକୁ ପତ୍ର ସଂଖ୍ୟା ୪୪/୫।୮।୨୦୨୫ ରେ ଜଣାଇ ସାରିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ କୌଣସି ଯାଞ୍ଚ ନ କରି ଏହାକୁ ପତ୍ର ସଂଖ୍ୟା ୨୪୮୮/୨୪।୯।୨୦୨୫ ରେ ଗ୍ରହଣ କରିନେବା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ବିଦ୍ୟାଳୟ ପରିତ୍ୟାଗ ସାର୍ଟିଫିକେଟ କ୍ରମିକ ନଂ ୧୦୭/୩୦।୯।୧୯୭୮କୁ ଜିଲା ଶିକ୍ଷାଧିକାରୀ ବାରିକ ଗ୍ରହଣ କରି କ୍ଲିନ ଚିଟ୍‌ ଦେଇ ସାରିଛନ୍ତି। ଏପରିକି କଟକ ଜିଲାପାଳଙ୍କୁ ମଧ୍ୟ ପତ୍ରସଂଖ୍ୟା ୧୪୪୭୮/୪।୧୦।୨୦୨୫ ରେ ଅବଗତ କରି ସାରିଛନ୍ତି। ଜଣେ ପିଲା ପାଇଁ ୧୦ ବର୍ଷ ପୂର୍ବରୁ ପରୀକ୍ଷା ମୂଳକ ଭାବେ ୧୦ ଯୁକ୍ତ ୨ ଶିକ୍ଷାପଦ୍ଧତି ପ୍ରଚଳନ ସତରେ କ’ଣ ହୋଇଥିଲା,ଏହାର ଅନୁସନ୍ଧାନ କରାଯିବାର ଆବଶ୍ୟକତା ରହିଛି।

Dharitri – Odisha’s No.1 Odia Daily

Share