ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ କୁମାର ବଡୁ । ୩୭ ବର୍ଷରୁ ଅଧିକ ଶିଳ୍ପ ଅଭିଜ୍ଞତା ସହିତ ସେ ଓଟିପିଏଲ୍କୁ ଉଚ୍ଚମାନର ବୈଦ୍ୟୁତିକ ଟ୍ରାନ୍ସଫର୍ମର ପ୍ରସ୍ତୁତକାରୀ ଅଗ୍ରଣୀ ସଂସ୍ଥାରେ ପରିଣତ କରିଛନ୍ତି। ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସେ ଜଣେ ପ୍ରମୁଖ ବ୍ୟକ୍ତି ହୋଇଥିବାବେଳେ ଆଞ୍ଚଳିକ ଅଭିବୃଦ୍ଧି ପାଇଁ ଏକ ପ୍ରେରଣାଦାୟୀ ହୋଇ ରହିଛନ୍ତି। ଜୀବନ କୁମାର ବଡୁଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ୍କାର…
ପ୍ର- ୧୯୮୮ ମସିହାରେ ଓଟିପିଏଲ୍ ପ୍ରତିଷ୍ଠା ପରଠାରୁ ଏହାର ନିରନ୍ତର ଅଭିବୃଦ୍ଧିରେ କେଉଁ ପ୍ରମୁଖ କାରକଗୁଡ଼ିକ ସହାୟକ ହୋଇଛି?
ଉ-୧୯୮୮ରୁ ଦୃଢ଼ ଉତ୍ପାଦନ କ୍ଷମତା, ଗୁଣାତ୍ମକ ପ୍ରମାଣପତ୍ର, ସମଗ୍ର ଭାରତରେ ଏକ ବିବିଧ ଗ୍ରାହକ ଆଧାର, ନିର୍ଭରଯୋଗ୍ୟ ବିକ୍ରୟ ପରବର୍ତ୍ତୀ ସେବା ଏବଂ ସ୍ଥିର ନେତୃତ୍ୱ ମାଧ୍ୟମରେ ଓଟିପିଏଲ୍ର ନିରନ୍ତର ଅଭିବୃଦ୍ଧି ହୋଇଛି। ଏହାଦ୍ୱାରା ଆମେ ଓଡ଼ିଶା ଏବଂ ବାହାରେ ପାଓ୍ବାର ଡିଷ୍ଟ୍ରିବ୍ୟୁଶନ ଟ୍ରାନ୍ସଫର୍ମରର ଏକ ବିଶ୍ୱସ୍ତ ଯୋଗାଣକାରୀ ଭାବରେ ନିଜକୁ ପ୍ରମାଣିତ କରିଛୁ।
ପ୍ର- ଟ୍ରାନ୍ସଫର୍ମର ଏବଂ ବୈଦୁ୍ୟୁତିକ ଉପକରଣ ଶିଳ୍ପ ବର୍ତ୍ତମାନ କେଉଁ ପ୍ରମୁଖ ଆହ୍ବାନ ଦେଇ ଗତି କରୁଛି?
ଉ- ଭାରତରେ ଟ୍ରାନ୍ସଫର୍ମର ଏବଂ ବୈଦ୍ୟୁତିକ ଉପକରଣ ଶିଳ୍ପ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। କଞ୍ଚାମାଲ ମୂଲ୍ୟରେ ଅସ୍ଥିରତା, ବିଶେଷକରି ତମ୍ବା ଏବଂ ଇସ୍ପାତ ସହିତ କଠୋର ନିୟାମକ ଏବଂ ଦକ୍ଷତା ମାନଦଣ୍ଡ ଏହି ଶିଳ୍ପକୁ ପ୍ରଭାବିତ କରୁଛି। ଏହାବ୍ୟତୀତ ବିଦ୍ୟୁତ୍ କ୍ଷେତ୍ରରେ ଚାଲିଥିବା ସଂସ୍କାର ଯୋଗୁ ଆଧୁନିକୀକରଣ ଏବଂ ଅକ୍ଷୟ ଶକ୍ତିର ସଂଯୋଗର ଆବଶ୍ୟକତା ବଢ଼ିଛି, ଯାହା ଉତ୍ପାଦନକାରୀଙ୍କ ପାଇଁ ଖର୍ଚ୍ଚ, ନିୟମ ପାଳନ ଏବଂ ସାମଗ୍ରିକ ପ୍ରତିଯୋଗିତାକୁ ପ୍ରଭାବିତ କରୁଛି।
ପ୍ର- ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଟ୍ରାନ୍ସଫର୍ମର ଉତ୍ପାଦନ ଶିଳ୍ପରେ ଆପଣଙ୍କ କମ୍ପାନୀ ନିଜକୁ କିପରି ସ୍ବତନ୍ତ୍ର କରିପାରିଛି?
ଉ- ଏହି ପ୍ରତିଯୋଗିତାମୂଳକ କ୍ଷେତ୍ରରେ କେବଳ ଉପକରଣ ତିଆରି କରିବା ଯଥେଷ୍ଟ ନୁହେଁ, ଏଥିପାଇଁ ବିଶ୍ୱାସ, ଦକ୍ଷତା ଏବଂ ପରିବର୍ତ୍ତନଶୀଳତା ଆବଶ୍ୟକ। ଆମ କମ୍ପାନୀର ଗୁଣବତ୍ତା, ନବସୃଜନ, ଠିକ୍ ସମୟରେ ବିତରଣ, ବିକ୍ରୟ ପରବର୍ତ୍ତୀ ସେବା ଏବଂ ଗ୍ରାହକ-କୈନ୍ଦ୍ରିକ ଆଭିମୁଖ୍ୟ ଯୋଗୁ ଆମକୁ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର କରିପାରିଛି।
ପ୍ର- ଓଟିପିଏଲ୍ ବର୍ତ୍ତମାନ କେଉଁ ପ୍ରକାରର ବୈଷୟିକ ପ୍ରଗତି କିମ୍ବା ଉଚ୍ଚ-ଦକ୍ଷତାବିଶିଷ୍ଟ ଡିଜାଇନ ଉପରେ ପୁଞ୍ଜି ବିନିଯୋଗ କରୁଛି?
ଉ- ଆମେ ଉଚ୍ଚ-ଦକ୍ଷତାସମ୍ପନ୍ନ ଟ୍ରାନ୍ସଫର୍ମର ଡିଜାଇନରେ ନିବେଶ କରୁଛୁ, ଯାହା ଶକ୍ତି ସଞ୍ଚୟ, ସ୍ଥାୟିତ୍ୱ ଏବଂ ସ୍ମାର୍ଟ-ଗ୍ରୀଡ୍ ଅନୁକୂଳତା ଉପରେ ଧ୍ୟାନ ଦେଇଥାଏ। ଭାରତର ଅକ୍ଷୟ ଶକ୍ତି ଅଭିଯାନ ଏବଂ କଠୋର ଦକ୍ଷତା ମାନଦଣ୍ଡ ସହ ତାଳ ମିଳାଇବା ପାଇଁ ଆମେ ଲୋ-ଲସ୍ କୋର୍ ସାମଗ୍ରୀ ଏବଂ ଅତ୍ୟାଧୁନିକ ମନିଟରିଂ ସିଷ୍ଟମ ବ୍ୟବହାର କରୁଛୁ।
ପ୍ର- ଅକ୍ଷୟ ଶକ୍ତିର ସଂଯୋଗ, ସ୍ମାର୍ଟ ଗ୍ରୀଡ୍ ଏବଂ ଜାତୀୟ ସ୍ତରର ବଡ଼ କମ୍ପାନୀଙ୍କ ପ୍ରତିଯୋଗିତା ଭଳି ନୂତନ ଆହ୍ବାନଗୁଡ଼ିକୁ ସାମ୍ନା କରିବା ପାଇଁ ଓପିଟିଏଲ୍ କିଭଳି ପ୍ରସ୍ତୁତ ହେଉଛି?
ଉ- ଗ୍ରାହକ ସନ୍ତୁଷ୍ଟିକୁ ଦୃଷ୍ଟିରେ ରଖି ସେମାନଙ୍କର ଆବଶ୍ୟକତା ଓ ଚାହିଦା ଅନୁସାରେ ସରଞ୍ଜାମ ଯୋଗାଇ ଦିଆଯାଉଛି। ଯାହାକି ଦୀର୍ଘସ୍ଥାୟୀ ହୋଇପାରୁଛି ଏବଂ ଏହା ଦ୍ୱାରା ଗ୍ରାହକ ଆନନ୍ଦିତ ହେଉଛନ୍ତି।

