କଟକରେ କର୍ଫ୍ୟୁ ବଳବତ୍ତର

କଟକ,୭ା୧୦(କାର୍ତ୍ତିକ ସାହୁ): କଟକ ଦୁର୍ଗା ପୂଜା ଭସାଣି ସମୟରେ ସୃଷ୍ଟ ବିବାଦ ରବିବାର ଉଗ୍ରରୂପ ଧାରଣ କରିବା ପରେ ସହରର ୧୩ଟି ଥାନା ଅଞ୍ଚଳରେ ୩୬ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି। ସୋମବାର ସମ୍ପୂର୍ଣ୍ଣ ସହର ପୋଲିସ ଛାଉଣି ଭିତରେ ରହିଥିଲା। କର୍ଫ୍ୟୁ ଲାଗୁ ଫଳରେ କେବଳ ଜରୁରୀ ସେବା ବ୍ୟତୀତ ଦୋକାନବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ୧୦୦ ପ୍ଲାଟୁନ୍‌ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରିବା ସହ ଲୋକମାନଙ୍କୁ ଘର ଭିତରେ ସୁରକ୍ଷିତଭାବେ ରହିବାକୁ ପରାମର୍ଶ ଦେଇଥିଲେ।

ସହରରେ ଉତ୍ତେଜନା ଏବଂ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ୮ଜଣଙ୍କୁ ଗିରଫ କରାଯାଇଛି। ସେପଟେ ସ୍ଥିତିକୁ ଦେଖି ରବିବାର ରାତିରୁ ୨୪ ଘଣ୍ଟା ପାଇଁ ଲାଗିଥିବା ଇଣ୍ଟରନେଟ ଏବଂ ସୋସିଆଲ୍‌ ମିଡିଆ କଟକଣାକୁ ଆଉ ୨୪ ଘଣ୍ଟା ଅର୍ଥାତ ମଙ୍ଗଳବାର ରାତି ୭ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିଏମ୍‌ସି, ସିଡିଏ, ବୟାଳିଶ ମୌଜାରେ ହ୍ବାଟ୍ସ ଆପ୍‌, ଫେସବୁକ୍‌, ଏକ୍ସ, ସ୍ନାପ୍‌ଚାଟ୍‌, ଇନ୍‌ଷ୍ଟାଗ୍ରାମ୍‌ ସେବା ବନ୍ଦ ରହିବ। କମିଶନରେଟ ପୋଲିସ ଦ୍ୱାରା ରବିବାର ରାତି ୧୦ଟାରୁ ଜାରି ହୋଇଥିବା କର୍ଫ୍ୟୁ ସହରରେ ବଳବତ୍ତର ରହିଛି। କର୍ଫ୍ୟୁ ହେତୁ ସୋମବାର ସରକାରୀ କାର୍ଯ୍ୟାଳୟ, ଔଷଧ ଓ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ବ୍ୟାଙ୍କ, ବେସରକାରୀ କାର୍ଯ୍ୟାଳୟ, ମାଲଗୋଦାମ ସମେତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି।

ପୂରା ସହରକୁ ୧୦୦ ପ୍ଲାଟୁନ୍‌ ଫୋର୍ସ ସହ ୮ କମ୍ପାନୀ ସିଆର୍‌ପିଏଫ୍‌ ଯବାନ ଓ ୧ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ରହିଛନ୍ତି। ସହରର ଗଳି, କନ୍ଦିରେ ପୋଲିସ ଫୋର୍ସ ପଇଁତରା ମାରୁଛନ୍ତି। କେବଳ ଜରୁରୀ କାର୍ଯ୍ୟ ପାଇଁ ଯାଉଥିବା ଲୋକଙ୍କୁ ପୋଲିସ ରାସ୍ତାରେ ଯିବା ପାଇଁ ଅନୁମତି ଦେଉଛି। ଚଳଚଞ୍ଚଳ ଥିବା ବାଦାମବାଡ଼ି, ଚାତ୍ନ୍ଦିନୀଚୌକ, ମାଲଗୋଦାମ, ବାଲୁବଜାର ପୂରା ଶୂନଶାନ୍‌ ହୋଇଛି। ଲିଙ୍କ୍‌ ରୋଡ୍‌ ଦେଇ କଟକ ନେତାଜୀ ବସ୍‌ ଟର୍ମିନାଲକୁ ସ୍ବଳ୍ପସଂଖ୍ୟକ ବସ୍‌ ଚଳାଚଳ କରୁଥିବା ଦେଖାଯାଇଛି। ପ୍ରତ୍ୟହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଯାତ୍ରୀବାହୀ ବସ୍‌ ସଂଖ୍ୟା ହ୍ରାସ ପାଇଛି। ଦୋକାନ, ବଜାର ବନ୍ଦ ଥିବାରୁ ବସ୍‌ରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଛି। କାଁଭଁା ଲୋକେ ବାଦାମବାଡ଼ି, ମଧୁପାଟଣା, ଓଏମ୍‌ପି ଆଦି ଅଞ୍ଚଳରେ ବସ୍‌କୁ ଅପେକ୍ଷା କରିଥିବା ଦେଖାଯାଇଥିଲା। ସେପଟେ ସହରରେ ସ୍ଥିତିକୁ ଦେଖି ରବିବାର ରାତି ୭ଟାରୁ ଲାଗୁ କରାଯାଇଥିବା ୨୪ ଘଣ୍ଟିଆ ଇଣ୍ଟରନେଟ କଟକଣାକୁ ଆଉ ୨୪ ଘଣ୍ଟା ବୃଦ୍ଧି କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଗୃହ ବିଭାଗକୁ ଅନୁମତି ମଗାଯାଇଥିଲା। ଗୃହ ବିଭାଗ ଏହାକୁ ଗ୍ରହଣ କରି ମଙ୍ଗଳବାର ରାତି ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା କଟକଣାକୁ ଅନୁମତି ଦେଇଛନ୍ତି।

ଗଣ୍ଡଗୋଳ ସଂଘଟିତ ସ୍ଥଳ ଦରଘାବଜାରର କଦମରସୁଲ ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସାଧାରଣ ଲୋକଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଉଛି। ସହରର ପ୍ରବେଶ ପଥଗୁଡ଼ିକୁ ପୋଲିସ ଛାଉଣି ଦ୍ୱାରା ବ୍ଲକିଂ କରାଯାଇଛି। ଅବାଧ ଯାତାୟାତକୁ ପ୍ରତିହତ କରିବା ପାଇଁ ପୋଲିସ୍‌ ଫୋର୍ସ ସବୁଠି ମୁତୟନ ରହିଛନ୍ତି। ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପର୍ଯ୍ୟାୟକ୍ରମେ ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି। କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଡିଜିପି ଆଇନଶୃଙ୍ଖଳା ସଞ୍ଜୟ କୁମାର ପ୍ରମୁଖ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।

କର୍ଫ୍ୟୁ ବଢ଼ିବା ନିଷ୍ପତ୍ତି ପରେ
କର୍ଫ୍ୟୁ ଅବଧି ବଢ଼ିବ କି ନାହିଁ ସେ ନେଇ ମଙ୍ଗଳବାର ପୋଲିସ ପକ୍ଷରୁ ସୂଚନା ଦିଆଯିବ। ସହରର ପରିସ୍ଥିତିକୁ ତର୍ଜମା କରାଯାଉଛି। କର୍ଫ୍ୟୁ ଅବଧି ସରିବା ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଗଣ୍ଡଗୋଳ ଘଟଣାରେ ୮ ଗିରଫ, ୩ ମାମଲା
ଦରଘାବଜାରଠାରେ ରବିବାର ଘଟିଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ୩ଟି ମାମଲା ରୁଜୁ କରିଛି। ଏଥିସହ ସିସିଟିଭି ଫୁଟେଜ ଯାଞ୍ଚ କରି ଗଣ୍ଡଗୋଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ପୋଲିସ ନେଇଛି। ଅଦ୍ୟାବଧି ୮ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

କଟକରେ ଶାନ୍ତି ଫେରୁଛି: ସଞ୍ଜୟ କୁମାର
କଟକକୁ ଶାନ୍ତି ଫେରୁଛି। ସହରରେ କର୍ଫ୍ୟୁ ଜାରି ରହିଛି। ହାଇକୋର୍ଟ ସମେତ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିଛି। ରବିବାରର ଘଟଣା ପରେ ଆଉ କିଛି ଅଘଟଣ ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଲୋକମାନଙ୍କୁ ଅନୁରୋଧ କରୁଛୁ, ସେମାନେ ଗୁଜବ ଠାରୁ ଦୂରେଇ ରୁହନ୍ତୁ, ଆଉ ପୋଲିସକୁ ସାହାଯ୍ୟ କରନ୍ତୁ। ଏହି ଘଟଣା ଘଟାଇବାରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକ ଏକ ଶାନ୍ତିପ୍ରିୟ ସ୍ଥାନ, ଶାନ୍ତି ନିଶ୍ଚିତ ଫେରିବ ବୋଲି ଆଇନ ଶୃଙ୍ଖଳା ଡିଜିପି ସଞ୍ଜୟ କୁମାର କହିଛନ୍ତି।

ଅଗ୍ନିଶମ ବାହିନୀର ୭ ଟିମ୍‌ ପ୍ରସ୍ତୁତ
କର୍ଫ୍ୟୁ ସମୟରେ କୌଣସି ଅଗ୍ନିକାଣ୍ଡ ଅଥବା ଦୁର୍ଘଟଣାଜନିତ ଅଘଟଣକୁ ମୁକାବିଲା କରିବା ପାଇଁ ଜିଲା ଅଗ୍ନିଶମ ବାହିନୀର ୭ଟି ଟିମ୍‌ ପ୍ରସ୍ତୁତ ଅଛନ୍ତି। ଘଟଣାସ୍ଥଳ ଦରଘାବଜାରରେ ୧ଟି ସମେତ ବକ୍ସିବଜାର, ଚାଉଳିଆଗଞ୍ଜ ଓ ବିଡ଼ାନାସୀଠାରେ ୨ଟି ଲେଖାଏ ଟିମ୍‌ ସଜାଗ ରହିଛନ୍ତି। ଏଥିସହ ୨୦ ଜଣ ଷ୍ଟ୍ରାଇକିଂ ଫୋର୍ସ ସହ ଅଗ୍ନି ନିର୍ବାପକ ଯନ୍ତ୍ର ଓ କାଟିବା ପାଇଁ ହାଇଡ୍ରୋଲିକ୍‌ ପାୱାର ପ୍ୟାକ୍‌ ପ୍ରସ୍ତୁତ ରଖାଯାଇଥିବା ଜିଲା ଅଗ୍ନିଶମ ଅଧିକାରୀ ସଞ୍ଜୀବ କୁମାର ବେହେରା ସୂଚନା ଦେଇଛନ୍ତି।

ବନ୍ଦ ରହିଲା ସାଆନ୍ତସାହି କୁମାରୋତ୍ସବ
ପ୍ରତିବର୍ଷ ଭଳି ୨ ଦିନ ଧରି ସାଆନ୍ତସାହି କୁମାରୋତ୍ସବ ପାଳନ କରିବାକୁ ପ୍ରସ୍ତୁତି ଶେଷ ହୋଇଥିବାବେଳେ ତାହାକୁ ବନ୍ଦ କରିଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଯୋଗୁ ଏହି ଉତ୍ସବକୁ ବନ୍ଦ କରାଯାଇଥିବା ସାଆନ୍ତସାହି କୁମାରୋତ୍ସବ ସମିତିର ସଭାପତି ସଦୟ ବୋଷ କହିଛନ୍ତି। ସୂଚନାଯୋଗ୍ୟ ଯେ, ୨ ଦିନ ଧରି ନୃତ୍ୟ, ଗୀତ ସହ ନାଟକ ପରିବେଷଣର ପରମ୍ପରା ବହୁ ବର୍ଷ ଧରି ଏଠାରେ ପ୍ରଚଳିତ ରହିଛି।

ଆୟୁଷ୍ମାନ କାର୍ଡଧାରୀ ଗୁରୁତର ରୋଗୀଙ୍କ ସେବା ଅଟକିଛି
ଇଣ୍ଟରନେଟ ସେବା ବନ୍ଦ ଯୋଗୁ ଆୟୁଷ୍ମାନ କାର୍ଡଧାରୀ ଗୁରୁତର ରୋଗୀଙ୍କ ସେବା ଅଟକି ଯାଇଛି। କଟକ ସହରର ବିଭିନ୍ନ ଘରୋଇ ହସ୍ପିଟାଲରେ ଏଭଳି ରୋଗୀଙ୍କ କାର୍ଡ ପଞ୍ଜୀକରଣ ସୋମବାର ହୋଇପାରି ନାହିଁ। ଫଳରେ ରୋଗୀମାନେ ସେବା ପାଇବା ପାଇଁ ଅପେକ୍ଷା କରିଛନ୍ତି। ବିଭିନ୍ନ ଘରୋଇ ହସ୍ପିଟାଲରେ ଏଭଳି ରୋଗୀମାନଙ୍କୁ ସମ୍ପର୍କୀୟମାନଙ୍କ ସହ ବସି ରହିଥିବା ଦେଖିବାକୁ ମିଳିଥିଲା।

Dharitri – Odisha’s No.1 Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri