କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବଡ଼ ଡେଙ୍ଗନେଲି ଗ୍ରାମ ନିକଟସ୍ଥ ଏକ କଲଭର୍ଟର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାରୁ ଏହି ବାଟ ଦେଇ ଯାତାୟାତ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଛି। ଆଜି ଏକ ଚିପ୍ସ ବୋଝେଇ ହାଇଓ୍ବା ଗାଡ଼ି ଲାଖପଦର ଯାଉଥିବା ବେଳେ ଉକ୍ତ କଲଭର୍ଟ ନିକଟରେ ତା’ର ଆଗ ଚକା ଦବି ଯାଇ ଫସି ରହିଛି। ଯାହାଫଳରେ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ନିୟମଗିରି ପାହାଡ଼ ଉପତ୍ୟକା ତଥା ଡଙ୍ଗରିଆ କନ୍ଧ ଅଧ୍ୟୁଷିତ ଅଞ୍ଚଳକୁ ସଂଯୋଗ କରୁଥିବା ଏହି ରାସ୍ତାଟି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଯୋଗାଯୋଗର ଏକମାତ୍ର ମାଧ୍ୟମ। ଗୁମା, ଲମ୍ବା, ଡଙ୍ଗାମାଟି, ବଡ଼ ଡେଙ୍ଗନେଲି, ସାରିଝଲା, ପଟାଙ୍ଗୀପଦର ଏବଂ ଲାଖପଦର ଆଦି ଗ୍ରାମର ହଜାର ହଜାର ଜନସାଧାରଣ ପ୍ରତିଦିନ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଚିକିତ୍ସା ପାଇଁ ଡାକ୍ତରଖାନା ଯିବା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା, ଛାତ୍ରୀଛାତ୍ର ସ୍କୁଲ-କଲେଜ ଯିବା ଏବଂ କୃଷିଜାତ ଦ୍ରବ୍ୟ ବଜାରକୁ ନେବା ପାଇଁ ଏହି ବାଟ ହିଁ ଏକମାତ୍ର ଭରସା।
କଲଭର୍ଟଟି ଭାଙ୍ଗିଯିବା କାରଣରୁ ଚାରିଚକିଆ ଯାନ ସମେତ ଜରୁରୀକାଳିନ ଆମ୍ବୁଲାନ୍ସ ସେବା ମଧ୍ୟ ଠପ୍ ହୋଇଯାଇଛି। ବାଇକ୍ ଆରୋହୀ ଓ ପଦଯାତ୍ରୀମାନେ ଜୀବନକୁ ବାଜି ଲଗାଇ ଯିବାଆସିବା କରୁଛନ୍ତି। ବିଶେଷ କରି ରାତିର ଅନ୍ଧାରରେ ଖାଲ ନ ଦିଶିବାରୁ ବଡ଼ ଧରଣର ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ଆଶଙ୍କା ରହିଛି। ଦିନକୁ ଦିନ ଖାଲର ଆକାର ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ସେଠାରେ କେବଳ ଲୁଗା ଖଣ୍ଡିଏ ବାନ୍ଧି ଦିଆଯାଇଥିବା ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କଲଭର୍ଟ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଏ ସମ୍ପର୍କରେ କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ମନୀଷା ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବାବଦରେ ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ବର୍ତ୍ତମାନ ସୁଦ୍ଧା କାମ ଶେଷ ହେବା କଥା, ତେବେ କେଉଁ କାରଣରୁ କାର୍ଯ୍ୟ ହୋଇନାହିଁ ତାହାର ତଦାରଖ କରାଯିବ।
ଅନ୍ୟପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ (ଜେଇ) ଦିଲ୍ଲୀପ କୁମାର ରାଉତରାୟ କହିଛନ୍ତି ଯେ, କଲଭର୍ଟ ଉପରେ ନୂତନ ସ୍ଲାବ୍ ପକାଇ ମରାମତି କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଯାଇଛି।