Categories: ଖେଳ

ବକ୍ସିଂ ଡେ’ ଟେଷ୍ଟରୁ ଆରମ୍ଭ ହେବ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଟୁର୍‌

ଜୋହାନ୍ସବର୍ଗ, ୬ା୧୨- ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଟୁର୍‌ର ସଂଶୋଧିତ କାର୍ଯ୍ୟସୂଚୀ ସୋମବାର ପ୍ରକାଶ ପାଇଛି। ତଦନୁସାରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଡିସେମ୍ବର ୨୬ରୁ ସିରିଜ ବକ୍ସିଂ ଡେ’ ଟେଷ୍ଟ ସହ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ସେଞ୍ଚୁରିଅନଠାରେ ଖେଳାଯିବ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍‌ଏ) ତରଫରୁ ସୋମବାର ଘୋଷଣା କରାଯାଇଛି। ଦ୍ୱିତୀୟ ଟେଷ୍ଟ ଜାନୁୟାରୀ ୩ରୁ ୭ ନ୍ୟୁଲାଣ୍ଡ୍ସରେ ଖେଳାଯିବାକୁ ଥିବା ବେଳେ ତୃତୀୟ ଟେଷ୍ଟ କେପ୍‌ଟାଉନ୍‌ଠାରେ ଜାନୁୟାରୀ ୧୧ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହାପରେ ଦୁଇ ଦେଶ ମଧ୍ୟରେ ୩ ଅନ୍ତର୍ଜାତୀୟ ଦିନିକିଆ ବୋଲାଣ୍ଡ ପାର୍କ (ଜାନୁୟାରୀ ୧୯), ପାର୍ଲ (ଜାନୁୟାରୀ ୨୧) ଓ କେପ୍‌ଟାଉନ୍‌ (ଜାନୁୟାରୀ ୨୩)ଠାରେ ଖେଳାଯିବ। ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ସଂସ୍କରଣର ଅଂଶବିଶେଷ ସ୍ବରୂପ ଟେଷ୍ଟ ସିରିଜ ଖେଳାଯିବାକୁ ଥିବା ବେଳେ ବିଶ୍ୱକପ୍‌ ୨୦୨୩ ପାଇଁ କ୍ୱାଲିଫିକେଶନ ଟୁର୍ନାମେଣ୍ଟ ଆଇସିସି ଓ୍ବାଲର୍‌ଡକପ୍‌ ସୁପର ଲିଗ୍‌ର ଅଂଶବିଶେଷ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳାଯିବ। ଦକ୍ଷିଣ ଆଫ୍ରିକାରେ କୋଭିଡ୍‌ର ନୂଆ ଭାରିଆଣ୍ଟ ଦେଖାଦେଇଛି। ଏଥିଯୋଗୁ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଟୁର୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ୪ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପରେ ପରେ ସମୟ ସୁବିଧା ଦେଖି ଆୟୋଜିତ ହେବ।

Share