କ୍ରିପ୍ଟୋ: ସ୍ବତନ୍ତ୍ର ଆଇଟି ରିଟର୍ନ ସ୍ତମ୍ଭ ରହିବ

ନୂଆଦିଲ୍ଲୀ, ୩ା୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ ବେଳେ ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋକରେନ୍ସି ଉପରେ ବିବରଣୀ ପ୍ରଦାନ କରିଥିଲେ। ଏହାପରଠୁ ଭାରତର ଡିଜିଟାଲ ମୁଦ୍ରାର ରୂପରେଖ ଏବଂ ଅନ୍‌ଲାଇନରେ ଚାଲିଥିବା କ୍ରିପ୍ଟୋ ଟ୍ରାଞ୍ଜାକଶନର ବୈଧତା ଉପରେ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ଦେଶବାସୀଙ୍କ ଜିଜ୍ଞାସା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ନୂଆ ଆର୍ଥିକ ବର୍ଷରୁ ଟିକସଦାତାଙ୍କୁ ଆୟକର (ଆଇଟି) ରିଟର୍ନ ଦାଖଲବେଳେ କ୍ରିପ୍ଟୋ କାରବାର ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି। କ୍ରିପ୍ଟୋକରେନ୍ସି କାରବାର ବା ଭର୍ଚୁଆଲ ସମ୍ପତ୍ତିରୁ ଲାଭ ଉପରେ ଏଣିକି ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ ବୋଲି ବଜେଟରେ ଘୋଷଣା ହୋଇଛି। ଏ ନେଇ ଆସନ୍ତା ବର୍ଷଠାରୁ ଆୟକର ରିଟର୍ନ ଫର୍ମରେ ଏକ ପୃଥକ୍‌ ସ୍ତମ୍ଭ ରଖାଯିବ। କ୍ରିପ୍ଟୋରୁ ହୋଇଥିବା ଆୟ ବାବଦରେ ଟିକସଦାତା ଏଥିରେ ସୂଚନା ଦେବେ। ଏ ସମ୍ପର୍କରେ ରାଜସ୍ବ ସଚିବ ତରୁଣ ବଜାଜ ବୁଧବାର ପ୍ରକାଶ କରିଛନ୍ତି। ଆସନ୍ତା ଏପ୍ରିଲ ୧ରୁ ସରକାର କ୍ରିପ୍ଟୋ କାରବାରରୁ ହେଉଥିବା ଲାଭ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ, ସେସ୍‌ ଏବଂ ସର୍‌ଚାର୍ଜ ଆଦାୟ କରିବେ। ଭର୍ଚୁଆଲ କଏନ୍‌ ଟ୍ରାଞ୍ଜାକଶନ୍‌ ଉପରେ ଟିକସ ଲାଗୁ କରାଯାଇଥିବାରୁ କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ମିଳିଛି ବୋଲି କୁହାଯିବ ନାହିଁ। ସରକାର ଏ ଦିଗରେ ବିଚାର କରି ପରବର୍ତ୍ତୀ ପଦକ୍ଷେପ ନେବେ। କ୍ରିପ୍ଟୋକରେନ୍ସି ଉପରେ ନିୟନ୍ତ୍ରଣ ରଖିବା ନିମନ୍ତେ ନିୟମ ଆଣିବା ପାଇଁ କାର୍ଯ୍ୟ ଜାରି ରହିଛି। ତେବେ ଅଦ୍ୟାବଧି ଏ ନେଇ କୌଣସି ଚିଠା ପ୍ରସ୍ତୁତ କରାଯାଇ ନ ଥିବା ସେ କହିଛନ୍ତି। କ୍ରିପ୍ଟୋ କାରବାରରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲାଭ ହେଲେ ୩୦% ଟିକସ ସହ ସେସ୍‌ ଏବଂ ୧୫% ସର୍‌ଚାର୍ଜ ଲାଗିବ ବୋଲି ତରୁଣ ବଜାଜ ପ୍ରକାଶ କରିଛନ୍ତି। ଏଥିସହ ଭର୍ଚୁଆଲ୍‌ ମୁଦ୍ରା ପାଇଁ ୧୦ ହଜାର ଟଙ୍କାରୁ ଅଧିକ ଦେୟ ଉପରେ ୧ ପ୍ରତିଶତ ଟ୍ୟାକ୍ସ ଡିଡକ୍ଟେଡ୍‌ ଆଟ୍‌ ସୋର୍ସ (ଟିଡିଏସ୍‌) ଆଦାୟ କରାଯିବ। ଜୁଲାଇ ୧ରୁ ଟିଡିଏସ୍‌ କଟିବ। ଟିଡିଏସ୍‌ କଟିବା ଫଳରେ କ୍ରିପ୍ଟୋ ଦ୍ୱାରା ହୋଇଥିବା କାରବାର ସମ୍ପର୍କିତ ତଥ୍ୟ ସରକାରଙ୍କ ନିକଟରେ ପହଞ୍ଚିବ ବୋଲି ସେ କହିଛନ୍ତି।

Share