ଦିନରୁ ରାତିଯାଏ ଅସମ୍ଭାଳ ଭିଡ଼

କଟକ,୪ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରାର ସପ୍ତମ ଦିନ ରବିବାର ସମ୍ପୂର୍ଣ୍ଣ ଭିନ୍ନ ଥିଲା, ଯାହାକୁ ନ ଦେଖିଲେ କଥାରେ କହି ବୁଝାଇ ହେବ ନାହିଁ। ଯୁଆଡ଼େ ଚାହିଁଲେ ଜନସମୁଦ୍ର। ରବିବାର ଛୁଟିଦିନ ଥିବାରୁ ଦିନରୁ ରାତି ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବାଲିଯାତ୍ରାକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଯାନବାହନ ଧାଡି ଲାଗିଥିଲା। ବାଲିଯାତ୍ରା ପଡିଆ ତ ଦୂରର କଥା, ପାର୍କିଂ ଷ୍ଟାଣ୍ଡରେ ଗାଡ଼ି ପହଞ୍ଚିଲାବେଳକୁ ଘଣ୍ଟା ଘଣ୍ଟା ସମୟ ବିତିଯାଉଥିଲା। ଭିଡ଼ ଏମିତି ଥିଲା ଯେ, ଚାଲିକରି ଯିବା ମୁସ୍କିଲ। ୧୫ଟି ପାର୍କିଂଷ୍ଟାଣ୍ଡ କରାଯାଇଥିଲେ ମଧ୍ୟ ସା ପୂର୍ବରୁ ସେଗୁଡିକ ପୂର୍ଣ୍ଣ ହୋଇଯାଇଥିଲା। ଏପରି ପରିସ୍ଥିତି ହୋଇଥିଲା ଯେ, ସନ୍ଧ୍ୟା ୬ଟା ପରଠାରୁ ଗାଡି ରଖିବାକୁ ଜାଗା ମିଳି ନ ଥିଲା। ପ୍ରାୟ ୧୧ ଲକ୍ଷ ଲୋକ ବାଲିଯାତ୍ରା ବୁଲିଥିବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ମଧ୍ୟାହ୍ନ ପ୍ରାୟ ୧୨ଟା ପରଠାରୁ ଯାତ୍ରା ପଡ଼ିଆକୁ ଲୋକଙ୍କ ସୁଅ ଛୁଟିଥିଲା। ଓର୍‌ମାସ୍‌, ଦିବ୍ୟାଙ୍ଗ ଓ କିନ୍ନର ଷ୍ଟଲ ସମେତ ଉଭୟ ଉପର ଓ ତଳ ପଡିଆରେ ବେପାର ଜମିଥିଲା। କେବଳ ଓର୍‌ମାସ୍‌ ଷ୍ଟଲରେ ୯କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା ଅନୁମାନ କରାଯାଉଛି। ବଡ ଷ୍ଟଲ କରିଥିବା ବ୍ୟବସାୟୀଙ୍କଠାରୁ ଉଠା ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ଭଲ ବ୍ୟବସାୟ କରିଛନ୍ତି। ବିଶେଷକରି ରବିବାର ଆମିଷ ଷ୍ଟଲରେ ଭିଡ଼ ଅଧିକ ଦେଖିବାକୁ ମିଳିଥିଲା। ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ବାଲିଯାତ୍ରା ପଡ଼ିଆରେ ଜନଗହଳି ହୋଇଥିଲା। ଅନ୍ୟପକ୍ଷରେ ଅସମ୍ଭାଳ ଭିଡ଼ ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ଫେଲ୍‌ ମାରିଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ବିଭିନ୍ନ ଆଡୁ ଆସୁଥିବା ଲୋକଙ୍କୁ ରାସ୍ତାରେ ପୋଲିସ ଅଟକାଇ ରଖିଥିଲା। ଅପରପକ୍ଷେ ବାଲିଯାତ୍ରାରେ ପ୍ରବଳ ଭିଡ କାରଣରୁ ଅନେକ ପଡିଆ ଭିତରକୁ ପ୍ରବେଶ କରି ନ ପାରି ଫେରି ଯାଇଥିଲେ।