ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଏବେ ଚାଷୀ ପଞ୍ଜୀକରଣ ଯୋରଦାର ଭାବେ ଚାଲିଛି। ଚଳିତବର୍ଷ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଧାନ କ୍ରୟ ପ୍ରକ୍ରିୟାରୁ ବାଦ ଦିଆଯିବା ପରେ ବ୍ଲକର ସମୁଦାୟ ୧୧ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ) ମାଧ୍ୟମରେ ଧାନ କ୍ରୟ କରାଯିବ। ଏଥିପାଇଁ ବର୍ତ୍ତମାନ ବିଭିନ୍ନ ପାକ୍ସରେ ଚାଷୀଙ୍କ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରାଯାଉଛି।
ବ୍ଲକର ହିଲୁଙ୍ଗ, ଉଫୁଲା, ମୁର୍ଷୁଣ୍ଢୀ, ବାଗବର, ଜଟେସିଂହା, ସୁବଳୟା, ପିତାମହୁଲ, ଖଣ୍ଡହତା, କେନଝିରିଆପାଲି, ବହଳପଦର ଓ ଦୁର୍ଜନତୈଲା ପାକ୍ସରେ ଚାଷୀମାନଙ୍କ ପଞ୍ଜୀକରଣ କାର୍ଯ୍ୟ ଚାଲିଛି। ଗତବର୍ଷ ବ୍ଲକର ଏହି ସମସ୍ତ ପାକ୍ସରେ ୮,୮୯୧ ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଚଳିତବର୍ଷ ରବିବାର ସୁଦ୍ଧା ୧୦, ୫୨୯ ଚାଷୀ ପଞ୍ଜୀକରଣ କରିସାରିଥିବା ଜଣାପଡ଼ିଛି। ଅର୍ଥାତ୍‌ ଗତବର୍ଷ ତୁଳନାରେ ଚଳିତବର୍ଷ ଏପର୍ଯ୍ୟନ୍ତ ଅଧିକ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ପାକ୍ସୱାରୀ ପଞ୍ଜୀକରଣ ତତ୍ୟ ଅନୁସାରେ ହିଲୁଙ୍ଗରେ ୧୨୭୨ ଚାଷୀ, ଉଫୁଲାରେ ୭୨୮ ଚାଷୀ, ମୁର୍ଷୁଣ୍ଢୀରେ ୧୪୧୧ ଚାଷୀ, ବାଗବରରେ ୭୫୪ ଚାଷୀ, ଜଟେସିଂହାରେ ୮୬୧ ଚାଷୀ, ସୁବଳୟାରେ ୬୦୦ ଚାଷୀ, ପିତାମହୁଲରେ ୧୧୧୬ ଚାଷୀ, ଖଣ୍ଡହତାରେ ୧୦୩୨ ଚାଷୀ, କେନଝିରିଆପାଲିରେ ସର୍ବାଧିକ ୧୪୩୪ ଚାଷୀ, ବହଳପଦରରେ ୮୪୯ ଚାଷୀ ଏବଂ ଦୁର୍ଜନତୈଲାରେ ୪୪୨ ଚାଷୀ ପଞ୍ଜୀକରଣ କରିଛନ୍ତି। ତେବେ ପଞ୍ଜୀକରଣ ପ୍ରକ୍ରିୟାରେ ସର୍ଭର ସମସା ଚାଷୀ ଓ ପାକ୍ସ କର୍ମଚାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ବିଶେଷକରି ଦିନବେଳା ସର୍ଭର ଡାଉନ ରହୁଥିବାରୁ ପଞ୍ଜୀକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା। ଫଳରେ ଅନେକ ପାକ୍ସରେ କର୍ମଚାରୀମାନେ ରାତି ୧ଟାରୁ ୨ଟା ପର୍ଯ୍ୟନ୍ତ ଜାଗି ଚାଷୀଙ୍କ ପଞ୍ଜୀକରଣ କରୁଥିବା ଖବର ମିଳିଥିଲା। ଖଣ୍ଡହତା ଗ୍ରାମର ଚାଷୀ ମଧୁସୂଦନ ମହାକୁର କହିଛନ୍ତି, ପୂର୍ବରୁ ପାକ୍ସ ସମେତ ବିଭିନ୍ନସ୍ଥାନରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ମଧ୍ୟ ଧାନ କ୍ରୟ କରିବା ପାଇଁ ଅନୁମତି ମିଳିଥିଲା। ସେମାନେ ଚାଷୀଙ୍କ ଧାନ ବିକ୍ରି ପାଇଁ ପଞ୍ଜୀକରଣ ମଧ୍ୟ କରୁଥିଲେ। ମାତ୍ର ଚଳିତବର୍ଷ ସେମାନଙ୍କୁ ବାଦ ଦିଆଯିବା ପରେ ସମସ୍ତ ଚାଷୀ ପାକ୍ସ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଏହାଯୋଗୁ ବିଭିନ୍ନ ପାକ୍ସରେ ଚାଷୀଙ୍କ ଭିଡ଼ ବଢ଼ିଛି।
ଏବେ ମଧ୍ୟ ଅନେକ ଚାଷୀ ପଞ୍ଜୀକରଣ କରିପାରି ନ ଥିବାବେଳେ ପଞ୍ଜୀକରଣ ସମୟ ସୀମା ବୃଦ୍ଧି କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଦାବି ହେଉଥିଲା। ଏହି ପରିପ୍ରେକ୍ଷୀରେ ରବିବାର ବିଭାଗ ପକ୍ଷରୁ ପଞ୍ଜୀକରଣ ସମୟକୁ ଆଉ ୭ ଦିନ ବୃଦ୍ଧି କରାଯାଇଥିବା ଘୋଷଣା ହୋଇଛି। ଏହି ନିଷ୍ପତ୍ତି ପରେ ଚାଷୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଅମରପାଲି ଗ୍ରାମର ଚାଷୀ ସୁରେଶ ବିଶି କହିଛନ୍ତି, ପଞ୍ଜୀକରଣ ସମୟରେ ବାରମ୍ବାର ସର୍ଭର ଡାଉନ ହେବାରୁ ପଞ୍ଜୀକରଣ କାର୍ଯ୍ୟ ବିଳମ୍ବିତ ହେଉଥିଲା। ଫଳରେ ଅନେକ ଚାଷୀ ପଞ୍ଜୀକରଣରୁ ବଞ୍ଚତ୍ତ ହେବାର ଆଶଙ୍କା ରହିଥିଲା। ତେବେ ସରକାର ସପ୍ତାହେ ପଞ୍ଜୀକରଣ ସମୟ ବୃଦ୍ଧି କରିଥିବାରୁ ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିନାହାନ୍ତି, ସେମାନେ ଆଉ ବାଦ ପଡ଼ିବେ ନାହିଁ ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ ବୀରମହାରାଜପୁର ଏଆର୍‌ସିଏସ୍‌ ନାରାୟଣ ସେଠଙ୍କୁ ପଚାରିବାରେ ଚଳିତବର୍ଷ ଗତବର୍ଷ ଅପେକ୍ଷା ଅଧିକ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି। ସମୟ ସୀମା ବୃଦ୍ଧି ପାଇଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଅବଶିଷ୍ଟ ଚାଷୀଙ୍କ ଧାନ ବିକ୍ରି ପାଇଁ ପଞ୍ଜୀକରଣ ସମ୍ପୂର୍ଣ୍ଣ ହୋଇଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share