ତହସିଲ କାର୍ଯ୍ୟାଳୟରେ ଭିଡ଼:  ମିଳୁନି ପ୍ରମାଣପତ୍ର, ସମସ୍ୟା ଭୋଗୁଛନ୍ତି….

ଦାରିଙ୍ଗବାଡି,୧୭।୩ (ଅରୁଣ ସାହୁ): ବିଦ୍ୟାଳୟ ସମେତ ମହାବିଦ୍ୟାଳୟ ଆଦିରେ ଛାତ୍ରୀଛାତ୍ର ନାମ ଲେଖେଇବା ପାଇଁ ଆବଶ୍ୟକ ପଡୁଛି କାଷ୍ଟ, ଇନ୍‌କମ୍‌ ଓ ରେସିଡେନ୍ସ ପ୍ରମାଣ ପତ୍ର। ମାତ୍ର ଏହି ପ୍ରମାଣପତ୍ର  କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ସଠିକ ସମୟରେ ମିଳୁ ନ ଥିବାରୁ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ୁଛି।
ଆଧାର, ବ୍ୟାଙ୍କ ପାସ୍‌ବୁକ ଆଦିରେ ନିଜ ଜନ୍ମ ତାରିଖ ସଂଶୋଧନ ଆଦି ପାଇଁ ଆବଶ୍ୟକ ପଡୁଥିବା ସରକାରୀ କାଗଜ ପତ୍ର ପାଇଁ ଲୋକମାନେ ତହସିଲ କାର୍ଯ୍ୟାଳୟ ଦୌଡିଦୌଡିି ନୟାନ୍ତ ହେଉଛନ୍ତି। ତେବେ ଲିଙ୍କ୍‌ଫେଲ ହେବା ସହ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଲୋକମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଅନେକ ସମୟରେ ପୂର୍ବରୁ ମିଳିଥିବା ପ୍ରମାଣପତ୍ରକୁ ଚଳିତ ବର୍ଷ ଦେଲେ ମଧ୍ୟ ତାହାକୁ  ଗ୍ରହଣ କରା ନ ଯାଇ  ରଦ୍ଦ କରିଦିଆଯାଉଛି। ଫଳରେ କାହିଁକି ଓ କେଉଁ ଆଧାରରେ ଏଭଳି ପ୍ରମାଣପତ୍ରକୁ ରଦ୍ଦ କରାଯାଉଛି ତାହା ଲୋକଙ୍କୁ କୁହାଯାଉନାହିଁ।
ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡି  ପଞ୍ଚାୟତ ମାହାଡାଗାଣ୍ଡା ସାହିର ତିଲୋତମା ପ୍ରଧାନଙ୍କ କ୍ଷେତ୍ରରେ, ତାଙ୍କ ପୁଅ ନବମରେ ପାଠ ପଢିବା ପାଇଁ ଚଳିତ ବର୍ଷ ଜାନୁୟାରୀ ୨୦ରେ ଆବେଦନ କରିଥିଲେ ତେବେ ତାଙ୍କ ରେସିଡେନ୍ସ ପ୍ରମାଣ ପତ୍ର ସହ ଇନକମ ପ୍ରମାଣ ପତ୍ରକୁ ରଦ୍ଦ କରିଦିଆଯାଇଛି। ସେ ପୁନଃ ଆବେଦନ କରିବା ପରେ ଇନକମ ପ୍ରମାଣପତ୍ର ଦିଆଯାଇଥିବା ବେଳେ ରେସିଡେନ୍ସିକୁ ଅଦ୍ୟାବଧି ରଦ୍ଦ କରାଯାଇଛି। ଯାହାକି ୨୦୨୪ ମସିହାରେ ତାଙ୍କୁ ସେ ସମାନ ପ୍ରମାଣ ପତ୍ର ସଠିକ ଭାବେ ଦିଆଯାଇଥିଲା କିନ୍ତୁ ଚଳିତ ବର୍ଷ ତାକୁ ରଦ୍ଦ କରାଯିବା ପଛରେ କି କାରଣ ରହିଛି ତାହା ହିତାଧିକାରୀଙ୍କୁ ଜଣା ଯାଉ ନ ଥିବା ଓ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେବାକୁ ପଡୁଛି ବୋଲି ଅପେକ୍ଷା କରୁଥିବା ଆବେଦନକାରୀମାନେ ଅଭିଯୋଗ କରିଛନ୍ତି।
ଏନେଇ ତହସିଲଦାର ଶରତ ଶବରଙ୍କ ପ୍ରତିକ୍ରିୟା ନେବାକୁ ଫୋନ କରାଯାଇଥିଲା ତେବେ ତାହା ସମ୍ଭବ ହୋଇ ନ ଥିଲା ସେ ସ୍ବାସ୍ଥ୍ୟହାନି ଯୋଗୁ ଛୁଟିରେ ଯାଇଥିବା ଜଣାପଡିଛି।