ନଦୀ ପାର ହୋଇ କୋଟିଆ ସୀମାନ୍ତ ଗ୍ରାମ ଝାଙ୍ଗରବାଲସାରେ ପହଞ୍ଚିଲେ ଉପଜିଲାପାଳ, ବାଣ୍ଟିଲେ ରିଲିଫ୍

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ରେ ଗତ ଦୁଇଦିନ ହେଲା ପ୍ରବଳ ଲଗାଣ ବର୍ଷା ଜାରି ରହିଛି। ବ୍ଲକ୍‌ରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହି ପ୍ରତିକୂଳ ପରିସ୍ଥିତିରେ ପ୍ରଶାସନର ମାନବୀୟ ଚେହେରା ଦେଖିବାକୁ ମିଳିଛି। କୋରାପୁଟ ଉପଜିଲାପାଳ ତଥା କୋଟିଆ ପଞ୍ଚାୟତର ନୋଡାଲ୍ ଅଧିକାରୀ ଫାବି ରସିଦ୍‌ ଜଣେ ମହିଳା ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ ଦୁର୍ଗମ ରାସ୍ତାରେ ଚାଲି ଚାଲି ଏବଂ ଫୁଲିଥିବା ନଦୀ ପାର ହୋଇ ସୀମାନ୍ତ ଗ୍ରାମ ଝାଙ୍ଗରବାଲସାରେ ପହଞ୍ଚିଛନ୍ତି।

ନେରିଡିବାଲସାରୁ ଝାଙ୍ଗରବାଲସା ଯାଉଥିବା କାଦୁଅ ରାସ୍ତାରେ ଚାଲି ଚାଲି ଯିବା ପରେ ନଦୀ ପାର ହୋଇ ଗ୍ରାମବାସୀଙ୍କ ପାଖରେ ପହଞ୍ଚିଥିଲେ ଉପଜିଲାପାଳ। “ଆମେ ଆପଣଙ୍କ କଥା ଚିନ୍ତା କରୁଛୁ ଏବଂ ସବୁ ସମୟରେ ଆପଣଙ୍କ ସାଥିରେ ଅଛୁ” — ଏହି ପ୍ରତିଶ୍ରୁତି ଦେଇ ସେ ସ୍ଥାନୀୟ ଲୋକଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ। ଏହା ସହ ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଅତି ଶୀଘ୍ର ତାହାର ସମାଧାନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ସଙ୍କଟ ସମୟରେ ଓଡ଼ିଶା ପ୍ରଶାସନ ନିଜ ଲୋକଙ୍କ ସାଥୀରେ ଦୃଢ଼ ଭାବେ ଛିଡ଼ା ହୋଇଥିବା ଏହି ଗସ୍ତରୁ ସ୍ପଷ୍ଟ ହୋଇଛି।

କୋରାପୁଟ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ ଫାବି ରସିଦ୍‌ଙ୍କ ସହ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, କୋଟିଆ ପାଇଁ ନିଯୁକ୍ତ ଓଏସ୍‌ଡି (OSD) ସୌରଭ କାନ୍ତ ଦାଶ, ଅତିରିକ୍ତ ତହସିଲଦାର ସ୍ୱାଗତିକା ରାଉତ, ସୁପ୍ରଭାଇଜର ଗୁପ୍ତ ଶଙ୍କର ତ୍ରିପାଠୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନେରେଡିଭାଲସା, ଝାକରଭାଲସା ଓ ତଳସେମ୍ବି ସମେତ ସୀମାନ୍ତବର୍ତ୍ତୀ ଦୁର୍ଗମ ଗ୍ରାମଗୁଡ଼ିକୁ ଗସ୍ତ କରିଥିଲେ। ଖରାପ ପାଗ ଯୋଗୁଁ ଜନଜୀବନ ବାଧାପ୍ରାପ୍ତ ହୋଇଥିବାରୁ, ଏହି ଟିମ୍ ଘର ଘର ବୁଲି ଆବଶ୍ୟକ କରୁଥିବା ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ ସାମଗ୍ରୀ ଏବଂ ପଲିଥିନ୍ ସିଟ୍ ବଣ୍ଟନ କରିଛନ୍ତି।

Dharitri – Odisha’s No.1 Odia Daily

Share