ଛତ୍ରପୁର,୨୫ା୧୧(ଦିଲ୍ଲୀପ ସାମଲ): ସମ୍ପ୍ରତି ହୋଇଥିବା ବାତ୍ୟା, ପ୍ରବଳ ବର୍ଷା ଓ ଭୟଙ୍କର ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ କୃଷି ଓ ଜୀବିକା କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାର ତୁରନ୍ତ ପ୍ରତିକାର ଦାବି କରି ଗଞ୍ଜାମ ଜିଲା ବିଜୁ ଜନତା ଦଳ ପକ୍ଷରୁ ଜିଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାରେ ଚାଷଜମି ଜଳମଗ୍ନ ହେବା ସହ ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି, ଯାହା ହଜାର ହଜାର ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି।
ସେହିପରି ଏହି ମନୁଷ୍ୟକୃତ ବନ୍ୟାରୁ ଛୋଟ ବ୍ୟବସାୟୀ ଓ ଉଠା ଦୋକାନୀମାନେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୁକୁଳି ପାରିନାହାନ୍ତି। ଗତ ନଭେମ୍ବର ୭ରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ରିଲିଫ ଓ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଦାବିପତ୍ରରେ ମୁଖ୍ୟତଃ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ କୃଷି ଋଣ ଛାଡ଼, ନିର୍ଦ୍ଦିଷ୍ଟ ସମୟରେ ଫସଲ ବୀମା ଫଏସଲା ଏବଂ ଏସ୍ଡିଆରଏଫ୍ ନିୟମାବଳୀ ବ୍ୟତୀତ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ପ୍ରଦାନ କରିବାକୁ ଦାବି କରାଯାଇଛି। କ୍ଷତିପୂରଣ ମାପଦଣ୍ଡ ବୃଦ୍ଧି କରି ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୨୦ ହଜାର, ଜଳସେଚିତ ପାଇଁ ୩୦ ହଜାର ଏବଂ ବାର୍ଷିକ ଫସଲ ପାଇଁ ୪୦ ହଜାର ଟଙ୍କା ସହାୟତା ଦେବାକୁ କୁହାଯାଇଛି। ସେହିପରି ସମ୍ପୂର୍ଣ୍ଣ ଭାଙ୍ଗିଥିବା ଘର ପିଛା ୫ ଲକ୍ଷ ଓ ଆଂଶିକ କ୍ଷତିଗ୍ରସ୍ତ ଘର ପିଛା ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ହୋଇଛି। ଏହା ବ୍ୟତୀତ ରବି ଚାଷ ପାଇଁ ବିହନ, ସାର ଓ କୃଷି ଉପକରଣ ଯୋଗାଣ, ବିଦ୍ୟୁତ୍ ଭିତ୍ତିଭୂମି ଓ ସଡ଼କ ମରାମତି ସହ ବିଦ୍ୟୁତ୍ ବିଲ୍ ଛାଡ଼, ମଣ୍ଡିରେ ଧାନ ବିକ୍ରି ପାଇଁ ଏଫ୍ଏକ୍ୟୁ ମାନକରେ ଶିଥିଳତା, ଆଖୁ ଓ ପନିପରିବା ଚାଷୀଙ୍କୁ ସହାୟତା, ସବ୍ସିଡିରେ ଆଧୁନିକ କୃଷି ଯନ୍ତ୍ରପାତି ଏବଂ ଛୋଟ ବ୍ୟବସାୟୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।
ଏଥିସହ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଘୋଡ଼ାହାଡ଼ ଓ ଋଷିକୁଲ୍ୟା ନଦୀବନ୍ଧ ଦୃଢ଼ୀକରଣ, ନଦୀ ଓ ନାଳର ପୁନରୁଦ୍ଧାର ଏବଂ ପ୍ରଭାବିତ ଦିନମଜୁରିଆ ଓ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦଳ ଅନୁରୋଧ କରିଛି। ଜିଲାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜିଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସମେତ ପୂର୍ବତନ ଏମ୍ପି ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ପୂର୍ବତନ ବିଧାୟକ ସୁବାସ ବେହେରା, ଅଞ୍ଜଳି ସ୍ବାଇଁ, ମେୟର ସଂଘମିତ୍ରା ଦଳେଇ, ଇ. ବିବେକ ରେଡ୍ଡୀ, ସୁବାସ ଚନ୍ଦ୍ର ମହାରଣା, ଏମ୍. ସୁଜାତା ପାତ୍ର, ଶ୍ୱେତା ପ୍ରଜ୍ଞା ପଟ୍ଟନାୟକ ଓ ଅନ୍ୟାନ୍ୟ ନେତୃବୃନ୍ଦ ଦାବିପତ୍ରରେ ସ୍ବାକ୍ଷର କରି ନିବେଦନ କରିଛନ୍ତି।