ବନ୍ୟାରେ ଫସଲ ନଷ୍ଟ, ଜମି ବିବାଦକୁ ନେଇ ଚିନ୍ତିତ ଥିଲେ ଚାଷୀ: ଶେଷରେ କୀଟନାଶକ ପିଇ…

ବ୍ରହ୍ମପୁର, ୧/୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ୍‌ରେ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବନ୍ୟାରେ ଫସଲ ନଷ୍ଟ ହେବା, ଘରେ ପାଣି ପଶି ବିଭିନ୍ନ ସାମଗ୍ରୀ ନଷ୍ଟ ହେବା ଏବଂ ନିଜ ଭାଇମାନଙ୍କ ସହ ଜମି ବିବାଦ ଏହାର କାରଣ ହୋଇଥାଇପାରେ ବୋଲି କୁହାଯାଉଛି।

ମୃତ ଚାଷୀ ଜଣକ ହେଲେ ଶେରଗଡ଼ ବ୍ଲକ୍‌ ଡେଙ୍ଗାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାକିଲିକଣା ଗ୍ରାମର ଅର୍ଜୁନ ପଣ୍ଡା। ସେ ନିଜ ଘରେ ଚାଷ ଜମିରେ ପ୍ରୟୋଗ କରିବା ପାଇଁ ରଖିଥିବା କୀଟନାଶକ ପିଇ ଦେଇଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଗଞ୍ଜାମ ଜିଲା ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡିର ଏକ ଟିମ୍‌ ଏମ୍‌କେସିଜି ମେଡିକାଲରେ ପହଞ୍ଚି ମୃତ ଚାଷୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛି। ଏଥିସହ ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ଦେବାକୁ ବିଜେଡି ଦାବି କରିଛି।

ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ବନ୍ୟା ପରିଚାଳନା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିବା ସହ ବନ୍ୟା ବିପନ୍ନ ଓ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ବିଜେଡି ଦାବି କରିଛି।

ବିଜେଡି ଟିମ୍‌ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇଙ୍କ ସମେତ ବହୁ ନେତା ସାମିଲ ଥିଲେ। ସେମାନେ ମୃତ ଚାଷୀଙ୍କ ପୁଅଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ।

Dharitri – Odisha’s No.1 Odia Daily

Share