ନଦୀରେ ବୁଲୁଛି କୁମ୍ଭୀର, ଜୀବିକା ପାଇଁ ବିପଦରେ ଜୀବନ

ମହାକାଳପଡ଼ା, ୧୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀନାଳରେ ମାଳମାଳ କୁମ୍ଭୀର ଖାଦ୍ୟ ଅନ୍ବେଷଣରେ ଘୂରି ବୁଲୁଛନ୍ତି। ଏହାରି ଭିତରେ ମହାନଦୀ, ଲୁଣା, ପାଇକା, ଗୋବରୀ ନଦୀ ସମେତ ବିଭିନ୍ନ ଶାଖା ଯୋର ଓ ନାଳ ଉପରେ ନିର୍ଭର କରୁଥିବା ଜମ୍ବୁ, ରାମନଗର, ବତିଘର, ସୁନିତୀ, ପେଟଛେଲା, ନାଞ୍ଜୁରା, ବଉଳକଣି, ଗଗୁଆ, କେବି ଦାଣ୍ଡୁଆ, ଖରିନାସୀ ଆଦି ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ବିପଦକୁ ଚାଲିଯାଉଛି। ଅପରପକ୍ଷରେ ଗତ ୨ବର୍ଷ ମଧ୍ୟରେ ୬ରୁ ଅଧିକ ଲୋକଙ୍କ କୁମ୍ଭୀର ଆକ୍ରମଣରେ ଜୀବନ ଯାଇଥିବା ବେଳେ ୩୦ରୁ ଅଧିକ ଲୋକଙ୍କ ଜୀବନ ବର୍ତ୍ତିଯାଇଛି। ଅପରପକ୍ଷରେ ଏହି ନଦୀ ନାଳ ଘେରା ଅଞ୍ଚଳରେ ବସବାସ କରୁଥିବା ଗରିବ ଖଟିଖିଆ ପରିବାରର ମହିଳା ପୁରୁଷ ମାନେ ଦୈନନ୍ଦିନ ଜୀବନ ଜୀବିକା ପାଇଁ ନଦୀ ଉପରେ ନିର୍ଭର କରନ୍ତି। ଜାଲପତା, ଦଣ୍ଡୁରି, ଖାଳେଇ ନେଇ ନଦୀନାଳରେ ଚିଙ୍ଗୁଡ଼ି, ଚୂନା ମାଛ, କଙ୍କଡା ଧରିଥାନ୍ତି। ଏହାକୁ ବିକ୍ରିକରି ପରିବାର ଚଳାଉ, ଘର ଖାଇବା କାମ ଚଳିଯାଏ। ହେଲେ ନଦୀରେ ମାଛ ଧରିବା ବେଳେ କୁମ୍ଭୀର ଭୟ ବୋଲି କହିଛନ୍ତି ମିନତୀ ମଣ୍ଡଳ, ମାଳତୀ ଦାସ, ଶୁଭଲକ୍ଷ୍ମୀ ଗିରି, କାନନବାଳା ଦାସ, ଦୁଃଖୀ ମଣ୍ଡଳ, ଭବାନୀ ମଣ୍ଡଳ, ଫୁଲମଣି ଭକ୍ତା ପ୍ରମୁଖ ମହିଳା ମତ୍ସ୍ୟଜୀବୀ। ଏ ସଂକ୍ରାନ୍ତରେ ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଁଓଙ୍କର କହିଛନ୍ତି, ଆଗାମୀ ଦୁଇ ମାସ ମଧ୍ୟରେ କୁମ୍ଭୀର ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। ସେଥିପାଇଁ କୁମ୍ଭୀର ଅଧିକ ହିଂସ୍ର ହେବାର ଆଶଙ୍କା ରହିଛି। ସ୍ଥାନୀୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସମ୍ବେଦନଶୀଳ ସ୍ଥାନଗୁଡିକରେ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ କରାଯିବ। ନଦୀ କୂଳରେ ବସବାସ କରୁଥିବା ମତ୍ସ୍ୟଜୀବୀମାନେ ଭିତରକୁ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି। କୁମ୍ଭୀର ଆକ୍ରମଣରେ ଶିକାର ଲୋକଙ୍କୁ ସରକାରୀ ନିୟମ ଅନୁସାରେ ତଦନ୍ତ ରିପୋର୍ଟ ମିଳିବା ପରେ ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share