ହଜାରେ ଦେଇ କୁମ୍ଭୀର ଆଣିଲେ

ବାରଙ୍ଗ/କଟକ ସଦର, ୮।୮ (ଡି.ଏନ.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମ ଶିବବଜାର ନିକଟ ମହାନଦୀରୁ ଶନିବାର ସକାଳେ ଏକ କୁମ୍ଭୀରଛୁଆ ଉଦ୍ଧାର କରାଯାଇଛି। ଜଣେ ମତ୍ସ୍ୟଜୀବୀ ମାଛ ଧରିବାକୁ ମହାନଦୀକୁ ଯାଇଥିବାବେଳେ କୁମ୍ଭୀରଛୁଆ ତାଙ୍କ ଜାଲରେ ପଡିଥିଲା। ଖବରପାଇ ସିଟି ଫରେଷ୍ଟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ନନ୍ଦନକାନନର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଯେହେତୁ ଜୀବନ୍ତ ଅବସ୍ଥାରେ ଉକ୍ତ କୁମ୍ଭୀରକୁ ମତ୍ସ୍ୟଜୀବୀ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ପ୍ରଦାନ କରିଥିଲେ, ସେଥିପାଇଁ ତାଙ୍କୁ ୧ ହଜାର ଟଙ୍କାର ପୁରସ୍କାର ଦେଇ କୁମ୍ଭୀର ଛୁଆକୁ ନନ୍ଦନକାନନ ଆଣିଥିଲେ। ଜାଲରେ ପଡିଥିବାରୁ ଶରୀରରେ ଆଘାତ ଲାଗିଥିବା ସନ୍ଦେହ କରି କୁମ୍ଭୀରକୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଛି।