ବୈତରଣୀ, ଯମୁନା ନଦୀରେ ଘଡ଼ିଆଳ କୁମ୍ଭୀର

ଯାଜପୁର ସଦର ୧୮ା୮(ଡି.ଏନ.ଏ.): ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଏବଂ ଯମୁନା ନଦୀରେ ୨ଟି ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଛି। ଦଶରଥପୁର ବ୍ଲକ କୟାଁ ପଞ୍ଚାୟତ ଧରମପୁର ଏବଂ ସଦର ବ୍ଲକର ସିମିଳିଆ ପଞ୍ଚାୟତବାସୀ ଆତଙ୍କିତ ହୋଇ ପଡିଛନ୍ତି। ବୈତରଣୀ ବନ୍ୟା ପାଣି କମି ଆସୁଥିଲେ ସୁଦ୍ଧା କାଣୀ ନଦୀ ବନ୍ଧରେ ଘାଇ ଯୋଗୁ ଦଶରଥପୁର ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବୈତରଣୀ ନଦୀର ତଳ ପଟୁ ପଶି ଥିବା ପାଣିରେ ଧରମପୁର ଗାଁ ନିକଟକୁ କୁମ୍ଭୀର ଚାଲି ଆସିଛି ବୋଲି ଚର୍ଚ୍ଚା ହେଉଛି। ସେହିପରି ଯାଜପୁର ବ୍ଲକର ଯମୁନା ନଦୀରେ ବୁଧବାର ସକାଳୁ ସ୍ଥାନୀୟ ଲୋକେ ଖରସ୍ରୋତାରୁ ପଶି ଆସିଥିବା ଏକ କୁମ୍ଭୀରକୁ ଦେଖିବାକୁ ପାଇଛନ୍ତି । ଉଭୟ କୁମ୍ଭୀର ପାଖାପାଖି ୮ରୁ୧୦ ଫୁଟରୁ କମ ହେବ ନାହିଁ ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ କୟାଁଗୋଲା ଅଞ୍ଚଳରେ କୁମ୍ଭୀର ଉଭୟ ପଶୁ ଓ ମଣିଷଙ୍କୁ ନଦୀ ଭିତରକୁ ଟାଣି ନେଇ ଜୀବନରୁ ମାରି ଦେଇଥିବା ନଜିର ରହିଛି। ବୈତରଣୀ ଓ ଖରସ୍ରୋତା ନଦୀରେ ଭିତରକନିକା ଅଞ୍ଚଳରୁ କୁମ୍ଭୀର ଆସି ନଦୀର ଗଭୀର ଜଳ (ଗଣ୍ଡ) ରେ ରହି ଯାଇ ସେମାନଙ୍କ ବଂଶ ବିସ୍ତାର କରିଛନ୍ତି। ବନ ବିଭାଗ ଏହି ଘଟଣାକୁ ବିଶେଷ ଗୁରୁତ୍ୱ ଦେଉ ନଥିବାରୁ କୁମ୍ଭୀର ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଛି।