ମହାନଦୀ ବାଲିରେ କୁମ୍ଭୀର

ଗଣିଆ,୩ା୩ (ସନ୍ତୋଷ କୁମାର ପ୍ରଧାନ): ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ କେନ୍ଦୁପଲ୍ଲୀ ଗ୍ରାମ ନିକଟ ମହାନଦୀ ବାଲିପଠାରେ ଏକ କୁମ୍ଭୀର ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। କୁମ୍ଭୀରଟି ନଦୀ ବାଲିରେ ବୁଲୁଥିବାର ଦେଖି ଲୋକେ ଗଣିଆ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବରପାଇ ବନ କର୍ମଚାରୀମାନେ କୁମ୍ଭୀରଟିକୁ କୌଶଳକ୍ରମେ ଉଦ୍ଧାର କରି ମହାନଦୀର ସାତକୋଶିଆ ଗଣ୍ଡରେ ଛାଡି ଦେଇଛନ୍ତି। ଏହା ଏକ ଗୋମୁହାଁ କୁମ୍ଭୀର ବୋଲି ଜଣାପଡାଛି।

କୁମ୍ଭୀର ବାଲିରେ ବୁଲିବା ଦେଖିବା ପରେ ସ୍ଥାନୀୟ ଲୋକେ ମହାନଦୀକୁ ସ୍ନାନ ଓ ଶୌଚ କରିବାକୁ ଯିବାକୁ ନିରାପଦ ମଣୁନାହାନ୍ତି। ସୂଚନାଯୋଗ୍ୟ, ମହାନଦୀରେ ବନ୍ୟାଜଳ ଆସିବା ସମୟରେ କେତେକ କୁମ୍ଭୀର ମହାନଦୀ ପାଣିରେ ନାଳ ପୋଖରୀ ଆଦି ଜଳାଶୟକୁ ଚାଲିଯାଇଥାନ୍ତି। ସେଠାରେ ଖରାଦିନେ ପାଣି ଶୁଖିଯିବା ସହ ଖାଦ୍ୟାଭାବ ପରେ ଆପେ ଆପେ ମହାନଦୀକୁ ଚାଲିଯାଇଥାନ୍ତି। ଏହି କୁମ୍ଭୀରଟି କୌଣସି ଆଖପାଖ ଜଳାଶୟରୁ ମହାନଦୀକୁ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିବା ଅନୁମାନ କରାଯାଉଛି। ଛାମୁଣ୍ଡିଆ ପଞ୍ଚାୟତ ଈଶ୍ୱରପୁର ଗ୍ରାମ ପଦ୍ମପୋଖରୀରେ ୩ଟି କୁମ୍ଭୀର ଓ ଗୋପୀନାଥପୁର ଗ୍ରାମ ପୋଖରୀରେ ୨ଟି କୁମ୍ଭୀର ଥିବା ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି।