‘ଟଙ୍କା ପଡ଼ିଯାଇଛି’ କହି ପୋଷ୍ଟମାଷ୍ଟରଙ୍କୁ ଫସାଇଲେ, ଆଖି ପିଛୁଳାକେ ୮୦ ହଜାର ଟଙ୍କା ଝାମ୍ପି ନେଲେ ୪ ଲୁଟେରା

ଦିଗପହଣ୍ଡି,୨୩|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ – ଆସିକା ମୁଖ୍ୟରାସ୍ତା କଡ଼ରେ ଥିବା ଏକ ହୋଟେଲ ସମ୍ମୁଖରୁ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମ୍ୟ ପୋଷ୍ଟ ମାଷ୍ଟର ମନୋଜ କୁମାର ପଟ୍ଟନାୟକଙ୍କଠାରୁ ୮୦ ହଜାର ଟଙ୍କା ଥିବା ହ୍ୟାଣ୍ଡବ୍ୟାଗକୁ ୪ ଦୁର୍ବୃତ୍ତ ଅଭିନବ ଉପାୟରେ କୌଶଳକ୍ରମେ ଲୁଟି ନେଇ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ପୋଷ୍ଟମାଷ୍ଟର ଜଣକ ଗ୍ରାମୀଣ ଡାକ କାର୍ଯ୍ୟାଳୟରୁ ସଂଗୃହିତ ୮୦ ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ କରିବା ପାଇଁ  ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ତାଙ୍କ ସ୍କୁଟି (ନଂ. ଓଡ଼ି୦୭ ଏସି -୫୭୩୦) ଯୋଗେ ଦିଗପହଣ୍ଡି ଆସିଥିଲେ। ସେ ହୋଟେଲ ସମ୍ମୁଖରେ ସ୍କୁଟି ରଖି ଖାଇବାକୁ ଯାଇଥିଲେ। ଖାଇ ସାରିବା ପରେ ଟଙ୍କା ଥିବା ବ୍ୟାଗକୁ ସ୍କୁଟି ସମ୍ମୁଖରେ ଓହଳାଇ ପଦ୍ମନାଭପୁର ଗ୍ରାମ ସ୍ଥିତ ବ୍ୟାଙ୍କକୁ ଯିବା ନିମନ୍ତେ ସ୍କୁଟି ଷ୍ଟାର୍ଟ କରିବା ବେଳେ ୨ ଟି ବାଇକ ଆସିଥିବା ୪ ଯୁବକ ତାଙ୍କରି କିଛି ଟଙ୍କା ପଡ଼ିଯାଇଥିବା କହିଥିଲେ। ମନୋଜ ଦୁବୃର୍ତ୍ତଙ୍କ କଥାରେ ପ୍ରଭାବିତ ହୋଇ ସ୍କୁଟି ଷ୍ଟାଣ୍ଡ ମାରି ପଛକୁ ଚାହୁଁଥିବା ବେଳେ ସେମାନେ ସ୍କୁଟିରେ ଓହଳାଇଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପିନେଇ ବ୍ରହ୍ମପୁର ରାସ୍ତାରେ ଚମ୍ପଟ ମାରିଥିଲେ । ଏନେଇ ମନୋଜ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ.୧୭୫/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ  ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଦୁବୃର୍ତ୍ତଙ୍କ ଗତିବିଧିକୁ ଯାଞ୍ଚ କରି ଫେରିଥିବା ଜଣାପଡିଛି । ଦିଗପହଣ୍ଡି ଭଳି ଜନଗହଳି ପୂର୍ଣ୍ଣ ରାସ୍ତାରେ ଗତ କିଛି ମାସ ହେଲା ଦୁବୃର୍ତ୍ତ ମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରିବା ସହ ସ୍ପଷ୍ଟ ଦିବାଲୋକରେ ସେମାନଙ୍କ ଟଙ୍କା ବ୍ୟାଗକୁ ଛଡାଇ ନେଇ ଆସୁଥିବା ଅଭିଯୋଗ ହୋଇଛି ।

Dharitri – Odisha’s No.1 Odia Daily

Share